ନୂଆଦିଲ୍ଲୀ: ମହାରାଷ୍ଟ୍ରର ହିଙ୍ଗୋଲିର ଛାତ୍ରଛାତ୍ରୀଙ୍କୁ ଦେଇଥିବା ଏକ ପରାମର୍ଶ ପାଇଁ ସିନ୍ଦେ ଗୁଟର ବିଧାୟକ ସନ୍ତୋଷ ବଙ୍ଗରଙ୍କୁ ଏମଭିଏ ଦଳର ସମାଲୋଚନାର ପାତ୍ର ହେବାକୁ ପଡ଼ିଛି।
ସୂଚନାଯୋଗ୍ୟ, ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ନିର୍ବାଚନ ଆୟୋଗ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରଚାର କାର୍ଯ୍ୟରେ ପିଲାମାନଙ୍କୁ ବ୍ୟବହାର ନ କରିବାକୁ ଆୟୋଗ ଦଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଏକ ସପ୍ତାହ ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବର ଶିବସେନା ସହିଦ ଜଡ଼ିତ ଥିବା ବିଧାୟକ ସନ୍ତୋଷ ବଙ୍ଗର ଭୋଟ ଦେବା ପାଇଁ ପିଲାଙ୍କୁ ଦେଇଥିବା ଏକ ପରାମର୍ଶ ପାଇଁ ବିବାଦକୁ ଆସିଛନ୍ତି।
ଏଭଳି ବିବାଦକୁ ଆସିବାର କାରଣ ବିଧାୟକ ସନ୍ତୋଷ ବଙ୍ଗର ଜିଲ୍ଲା ପରିଷଦର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ଭୋଧିତ କରି କହିଥିଲେ, ‘ ଘରେ ଯାଇ ଖାଇବାକୁ ମନା କରିବ। ଯଦି ଆପଣଙ୍କ ବାପା ଓ ମା’ ନଖାଇବାର କାରଣ ପଚାରିବେ ତେବେ ତୁମେ କହିବ ସନ୍ତୋଷ ବଙ୍ଗରଙ୍କୁ ଭୋଟ ଦିଅ ତେବେ ଯାଇ ଆମେ ଖାଇବୁ।’
ତେବେ ପିଲାଙ୍କୁ ଏଭଳି କଥା କହିଥିବାରୁ ବିଧାୟକଙ୍କୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଛି। ଯେଉଁ ପିଲାଙ୍କୁ ବିଧାୟକ ଏଭଳି କଥା କହିଥିଲେ ସେମାନଙ୍କ ବୟସ ୧୦ବର୍ଷରୁ କମ ଥିବା ଜଣାପଡ଼ିଛି। ଏତେ ଛୋଟ ପିଲାଙ୍କୁ ଏଭଳି ପରାମର୍ଶ ଦେବା ଅପରାଧ ବୋଲି ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି।