ଔରଙ୍ଗାବାଦ ଓ ଓସମାନାବାଦର ନାମ ପୁନର୍ବାର ନାମିତ କଲେ ସିନ୍ଦେ ସରକାର

ମୁମ୍ବାଇ: ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଶନିବାର ଦିନ ଔରଙ୍ଗାବାଦ ଏବଂ ଓସମାନାବାଦ ସହରକୁ ଯଥାକ୍ରମେ ଛତ୍ରପତି ସମ୍ଭାଜୀନଗର ଏବଂ ଧାରାଶିବ ନାମରେ ନାମିତ କରିବାକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଇସ୍ତଫା ଦେବାର ଠିକ୍‌ ପୂର୍ବରୁ ଜୁନ୍‌ ୨୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବ ମହା ବିକାଶ ଅଘାଡି (ଏମଭିଏ) ସରକାରଙ୍କ ଶେଷ କ୍ୟାବିନେଟ ବୈଠକରେ ଏହି ସହରଗୁଡ଼ିକର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା।

ତେବେ ଜୁନ୍‌ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ କହିଥିଲେ ଯେ ଠାକରେଙ୍କ ନେତୃତ୍ୱାଧୀନ ଏହି ସ୍ଥାନଗୁଡ଼ିକର ନାମ ପରିବର୍ତ୍ତନ ନିଷ୍ପତ୍ତି ବେଆଇନ। କାରଣ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠରକରେଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆ ଯାଇଥିଲା।

ଗତ ମାସରେ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଔରଙ୍ଗାବାଦର ନାମ ସମ୍ଭାଜୀନଗର ରଖାଯାଇଥିଲା, କିନ୍ତୁ ଶନିବାର ଦିନ ସିନ୍ଦେ ସରକାର ଏଥିରେ ‘ଛତ୍ରପତି’ ଯୋଡିଥିଲେ।

ବର୍ତ୍ତମାନ ସିନ୍ଦେ ଏବଂ ଫଡନାଭିସ୍‌ କ୍ୟାବିନେଟରେ କେବଳ ଦୁଇ ଜଣ ସଦସ୍ୟ ଅଛନ୍ତି। କାରଣ ଏହାର ସମ୍ପ୍ରସାରଣ ଏପର୍ଯ୍ୟନ୍ତ ବିଚାରାଧୀନ ଅବସ୍ଥାରେ ଅଛି।

ସମ୍ବନ୍ଧିତ ଖବର