୧୯୮୯ ମୁମ୍ବାଇ ଦଙ୍ଗା ବେଳେ ଜଣେ ପିଲାକୁ ବଞ୍ଚାଇ ଥିଲେ ଏକନାଥ ସିନ୍ଦେ: ପଡ଼ୋଶୀ

ଅଭିନନ୍ଦନ ଜଣାଇଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ

ମୁମ୍ବାଇ: ମହରାଷ୍ଟ୍ରବାସୀଙ୍କ ସେବା କରିବି ବୋଲି ମୁଖ୍ୟମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେ ପ୍ରତିଶ୍ରୁତି ଦେଇଥିବା ବେଳେ ତାଙ୍କର ପୁରାତନ ପଡ଼ୋଶୀମାନେ କହିଛନ୍ତି ଯେ, ସେ ସଦାସର୍ବଦା ଜନତାଙ୍କ ରକ୍ଷକ ଥିଲେ।

ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ବେଳେ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କର ପୁରୁଣା ପଡ଼ୋଶୀମାନେ କହିଛନ୍ତି, ଅତି ସାଧାରଣ ପରିବାରରୁ ଆସିଥିବା ସିନ୍ଦେ ଥାନେ ଅନ୍ତର୍ଗତ ଚୱଲ୍‌ରେ ୩୫ ବର୍ଷରୁ ଅଧିକ ଦିନ ବସବାସ କରିଥିଲେ।

୧୯୮୯ ବମ୍ବେ ଦଙ୍ଗା ସମୟରେ ଏକନାଥ ସିନ୍ଦେ ଜଣେ ମହିଳା ଏବଂ ତାଙ୍କ ପିଲାକୁ ସାହାଯ୍ୟ କରିଥିବା କଥା ସ୍ମରଣ କରି ଜଣେ ପଡ଼ୋଶୀ କହିଛନ୍ତି, ଦଙ୍ଗା ସମୟରେ ସେ ଅଞ୍ଚଳରେ କ‌ୌଣସି ପରିବହନ ସୁବିଧା ନ ଥିଲା। ସେଦିନ ରାତିରେ ସିନ୍ଦେ ନିଜେ ଅଟୋରିକ୍ସା ଚଳାଇ ଚୱଲ୍‌ରୁ ସେ ପିଲା ଓ ତା’ର ମାଆଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚାଇ ଥିଲେ।

Image Courtesy of Twitter

ସିନ୍ଦେଙ୍କର ଆନୁଗତ୍ୟ ଏବଂ ନିଷ୍ଠକୁ ପ୍ରଶଂସା କରି ଆଉ ଜଣେ ପଡ଼ୋଶୀ କହିଛନ୍ତି, ସିନ୍ଦେ ପ୍ରାୟ ଶୁଅନ୍ତି ନାହିଁ। ଜନସାଧାରଣଙ୍କ ସେବା ପାଇଁ ସର୍ବଦା ଜାଗ୍ରତ ଥାଆନ୍ତି। ତାଙ୍କ ନିଷ୍ଠା ଓ ଆନୁଗତ୍ୟ ପ୍ରଶଂସାଯୋଗ୍ୟ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ପ୍ରତି ଶୁଭେଚ୍ଛା। ମହାରାଷ୍ଟ୍ର ପାଇଁ ଉତ୍ତମ କାର୍ଯ୍ୟ କରିବେ ବୋଲି ଆଶା କରୁଛି।

ସମ୍ବନ୍ଧିତ ଖବର