ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ୨୬ ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଯାଇ ଗୁଜୁରାଟର ସୁରଟ ସହରରେ ଏକ ହୋଟେଲ୍ରେ ଆତ୍ମଗୋପନ କରିବା ପରେ ରାଜ୍ୟ ରାଜନୀତିରେ ସଙ୍କଟ ଉପୁଜିଛି। ତାଙ୍କର ଏହ ପଦକ୍ଷେପ ମହାରାଷ୍ଟ୍ରର ଶାସକ ଦଳ ଶିବସେନାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାହାଲେ ଆପଣ ଜାଣିବାକୁ ଚାହାନ୍ତି କି ମହାରାଷ୍ଟ୍ର ରଜନୀତିରେ ମୋଡ଼ ବଦଳାଇ ଦେଇଥିବା ଏହି ସିନ୍ଦେ କିଏ?
ରାଜ୍ୟରେ, ବିଶେଷ କରି ଥାନେ ଅଞ୍ଚଳରେ ସେନାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ବ ଭୂମିକା ନିଭାଇଥିବା ସିନ୍ଦେ ହେଉଛନ୍ତି ଜଣେ ସୁପରିଚିତ ଜନ ନେତା। ସେନାର ପ୍ରମୁଖ ରାଜନୈତିକ ଦାୟିତ୍ବ ତୁଲାଇବାରେ ସେ ବେଶ୍ ପାରଙ୍ଗମ। ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ହେଉଛନ୍ତି ଦଳର ସାଂସଦ।
ଏକନାଥ ସିନ୍ଦେ ଲଗାତାର ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ୨୦୧୪ ମସିହାରେ ତାଙ୍କୁ ବିରୋଧୀ ଦଳର ନେତା କରାଯାଇଥିଲା।
ଯେତେବେଳେ ମହା ବିକାଶ ଅଗାଡ଼ି ସରକାର ଗଠନ ହୋଇଥିଲା ସେତେବେଳେ ସିନ୍ଦେ ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ବନିଥିଲେ। ନିକଟରେ ସେ ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକ୍ରେଙ୍କ ସହ ଅଯୋଧ୍ୟା ଗସ୍ତ କରିଥିଲେ।
ଯେଉଁ ବିଧାୟକମାନେ ରାଜ୍ୟ ବାହାରକୁ ଦଳବଦ୍ଧ ଭାବେ ଯାଇଛନ୍ତି ସେମାନେ ହେଲେ ତନାଜୀ ସାୱନ୍ତ, ବାଲାଜି କଲ୍ୟାଣକର, ପ୍ରକାଶ ଅନନ୍ଦରାଓ ଅବିତକର, ଏକାନ୍ସ ସିନ୍ଦେ, ଅବଦୁଲ୍ ସତର, ସଞ୍ଜୟ ପାଣ୍ଡୁରଙ୍ଗ, ଶ୍ରୀନିବାସ ଓନେଗା, ମହେଶ ସିନ୍ଦେ, ସଞ୍ଜୟ ରାଏମୁଲକର୍, ବିଶ୍ବନାଥ ଭୋଏର୍, ସନ୍ଦୀପନ୍ ରାଓ ଭୁମରେ, ଶାନ୍ତାରାମ ମୋରେ, ରମେଶ ବୋରନାରେ, ଅନୀଲ ବାବର୍, ଚିନମନରାଓ ପାଟିଲ୍, ଶମ୍ଭୁରାଜ ଦେଶାଇ, ମହେନ୍ଦ୍ର ଦଲ୍ଭି, ଶାହାଜୀ ପାଟିଲ୍, ପ୍ରଦୀପ ଜୈସ୍ୱାଲ୍, ମହେନ୍ଦ୍ର ଥୋରଭେ, କିଶୋର ପାଟିଲ୍, ଜ୍ଞାନରାଜ ଚୋଗୁଲେ, ବାଲାଜୀ କିନିକାର୍, ଭରତସେଠ୍ ଭୋଗ୍ଲେ, ସଞ୍ଜୟ ଗାଇକ୍ୱାଦ୍, ସୁହାସ ଖଣ୍ଡେ।