ଲୋକଙ୍କ ସମସ୍ୟା ବୁଝୁନଥିଲେ କି ଫୋନ ଉଠାଉନଥିଲେ ଠାକରେ…; ଏଭଳି ଅଭିଯୋଗ ଆଣିଲେ ବିଦ୍ରୋହୀ ବିଧାୟକ

ମୁମ୍ବାଇ: ସମ୍ପ୍ରତି ମହାରାଷ୍ଟ୍ରରେ ଉପୁଜି ଥିବା ରାଜନୈତିକ ବିଦ୍ରୋହ ଦୀର୍ଘ ଦିନରୁ ଅବଦମିତ ହୋଇ ରହିଥିବା ଅ‌ସନ୍ତୋଷର ପରିଣାମ ବୋଲି ଜଣାପଡ଼ିଥିବା ବେଳେ ଏବେ ଉଦ୍ଧବ ସରକାରଙ୍କ ବିରୋଧୀ ହେବାର ପ୍ରକୃତ କାରଣ ଜଣାଇଛନ୍ତି ଶିବସେନା ନେତା ଏକନାଥ ସିନ୍ଦେ। ଶିବସେନା ନେତା ଏକନାଥ ସିନ୍ଦେ ଓ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଆଜି ଠାକରେଙ୍କୁ ଏକ ଚିଠି ଲେଖି ଅସନ୍ତୋଷର କାରଣ ଜଣାଇଛନ୍ତି। ଗୁରୁବାର ଦିନ ବିଧାୟକ ଏକନାଥ ସିନ୍ଦେ କ୍ୟାମ୍ପ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ, ସେମାନଙ୍କୁ ଅଣଦେଖା କରାଯାଇଥିବାର ଅଭିଯୋଗ କରିଛନ୍ତି।

ଚିଠିରେ ଅଭିିଯୋଗ କରାଯାଇଛିି ଯେ, କ୍ଷମତାକୁ ଆସିବା ପରଠାରୁ ଉଦ୍ଧବ ଠାକରେ କେବେ ବି ଜନତାଙ୍କ ସମ୍ପର୍କରେ ରହିନଥିଲେ। ସେମାନଙ୍କ ସମସ୍ୟା ବୁଝିବା ପାଇଁ ସେ କେବେ ବି ଉପଲବ୍ଧ ନଥିଲେ। ନିଜ ବିଧାୟକମାନଙ୍କ ସହ ସେ ଭଲ ଭାବରେ କଥା ହେଉନଥିଲେ। ଫୋନ କଲେ ବି ନଉଠାଇବା ସହ ଦେଖା କରିବାର ସୁଯୋଗ ମଧ୍ୟ ବିଧାୟକମାନଙ୍କୁ ମିଳୁନଥିଲା। ବର୍ଷ ବର୍ଷ ଧରି ଏଭଳି ଚାଲିଆସୁଥିଲା।

ଚିଠିରେ ଆହୁରି ଲେଖାଯାଇଛି ଯେ, ଆମେ ଏହି ସବୁ ଜିନିଷ ଭୋଗୁଥିଲୁ ଏବଂ ସମସ୍ତ ବିଧାୟକ ଏହାକୁ ସହ୍ୟ କରିଥିଲେ। ଆମେ ଆପଣଙ୍କ ଆଖପାଖର ଲୋକଙ୍କୁ ଜଣାଇବାକୁ ଚେଷ୍ଟା କଲୁ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ଯେତେବେଳେ ଏହି ସବୁ ଘଟୁଥିଲା, ଏକନାଥ ସିନ୍ଦେ ଆମ ପାଇଁ ପାଖରେ ଥିଲେ ଏବଂ ଆମ ପାଇଁ ଚିନ୍ତିତ ଥିଲେ। ବର୍ତ୍ତମାନ ଆମେ ସମସ୍ତେ ନ୍ୟାୟ ଏବଂ ଅଧିକାର ପାଇଁ ଏକଜୁଟ ହୋଇଛୁ। ସେଥିପାଇଁ ଆମେ ତାଙ୍କୁ ଜଣେ ନେତା ଭାବରେ ବିବେଚନା କରି ଏହି ନିଷ୍ପତ୍ତି ନେଇଛୁ। ହିନ୍ଦୁତ୍ୱ, ଅଯୋଧ୍ୟା ଏବଂ ରାମ ମନ୍ଦିର ଶିବସେନାର ପ୍ରସଙ୍ଗ ହୋଇଥିଲେ ବି ଆମକୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଦିଆଯାଇନଥିଲା। ଉଦ୍ଧବ ଠାକରେ ନିଜେ ଅନେକ ବିଧାୟକଙ୍କୁ ଅଯୋଧ୍ୟା ଯିବାକୁ ମନା କରିଥିଲେ।

କ୍ରସ ଭୋଟିଂ ଉପରେ ସ୍ପଷ୍ଟୀକରଣ ଦେଇ ବିଦ୍ରୋହୀ ବିଧାୟକମାନେ କହିିଛନ୍ତି ‌ଯେ, ରାଜ୍ୟସଭା ନିର୍ବାଚନରେ ​​ଶିବସେନାର ଗୋଟିଏ ବି ଭୋଟ୍ କ୍ରସ-ଭୋଟ୍ ହୋଇନଥିଲା। ଏହା ସତ୍ତ୍ବେ ମଧ୍ୟ ଆମକୁ ଅବିଶ୍ବାସ କରାଗଲା। ଏହିସବୁ କାରଣରୁ ଏବେ ଆମେ ସିନ୍ଦେଙ୍କୁ ସମର୍ଥନ କରୁଛୁ।

ସମ୍ବନ୍ଧିତ ଖବର