ନୂଆଦିଲ୍ଲୀ: ମହାରାଷ୍ଟ୍ର ମନ୍ତ୍ରୀ ଏବଂ ଶିବସେନା ନେତା ଏକନାଥ ସିନ୍ଦେଙ୍କ ପାଇଁ ଶାସକ ମେଣ୍ଟରେ ରାଜନୈତିକ ସଙ୍କଟ ଘନେଇଛି। ସିନ୍ଦେ ଏବେ ଦଳର ୨୨ ଜଣ ବିଧାୟକଙ୍କ ସହ ଗୁଜରାଟର ଏକ ହୋଟେଲ୍ରେ ଅଛନ୍ତି। ସିନ୍ଦେଙ୍କ ଏହି କାର୍ଯ୍ୟ ଦ୍ବାରା ମହାରାଷ୍ଟ୍ର ଶାସକ ମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏକନାଥ ସିନ୍ଦେ କିଏ ? ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ରାଜ୍ୟରେ ଏବଂ ବିଶେଷ କରି ଥାନେ ଅଞ୍ଚଳରେ ଶିବସେନାକୁ ସୁଦୃଢ଼ କରିବାରେ ସିନ୍ଦେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଶିବସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାଜନୈତିକ କାର୍ଯ୍ୟ ସେ ପରିଚାଳନା କରନ୍ତି। ତାଙ୍କ ପୁ୍ଅ ଶ୍ରୀକାନ୍ତ ସିନ୍ଦେ କଲ୍ୟାଣରୁ ଶିବସେନା ସାଂସଦ। ମହାରାଷ୍ଟ୍ର ବିଧାନସଭାକୁ ଏକନାଥ ସିନ୍ଦେ ଲଗାତାର ୪ ଥର(୨୦୦୪-୨୦୧୯) ନିର୍ବାଚିତ ହୋଇଛନ୍ତି। ୨୦୧୪ରେ ସେ ବିରୋଧୀ ଦଳ ନେତା ଥିଲେ। ଏମ୍ଭିଏ ମେଣ୍ଟ ସରକାର ଗଠନ ପରେ ସିନ୍ଦେ କ୍ୟାବିନେଟ ମନ୍ତ୍ରୀ ହେଲେ। ଏବେ ସେ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ। ନିକଟରେ ସେ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍ରେଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କ ସହ ଯାଇଥିଲେ। ଏମଭିଏ ସରକାର ଭାଙ୍ଗିବାପାଇଁ ବିଜେପି ଚେଷ୍ଟା କରୁଛି ବୋଲି ଶିବସେନା ଦାବି କରୁଛି। କିନ୍ତୁ ଏକନାଥ ସିନ୍ଦେ ଏନ୍ସିପି ଏବଂ କଂଗ୍ରେସ ସହ ଦଳର ମେଣ୍ଟକୁ ଦୃଢ଼ ବିରୋଧ କରି ବୟାନ ଜାରି କରିଛନ୍ତି।
କିଛି ବି ହୋଇପାରେ : ମହାରାଷ୍ଟ୍ର ବିଜେପି ମୁଖ୍ୟ
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ବିଜେପି ଏବଂ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ପକ୍ଷରୁ ସରକାର ଗଠନ ନେଇ କୌଣସି ପ୍ରସ୍ତାବ ଆସିନି। କିନ୍ତୁ ରାଜନୀତିରେ ଯେକୌଣସି ସମୟରେ କିଛି ବି ହୋଇପାରେ ବୋଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବର୍ତ୍ତମାନ କିଛି କହିହେବନି। ଆମେ ଏବେ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରୁଛୁ। ଏକନାଥ ସିନ୍ଦେ ସରକାର ଗଠନ ପାଇଁ ବିଜେପିକୁ କୌଣସି ପ୍ରସ୍ତାବ ଦେଇନାହାନ୍ତି କି ବିଜେପି ପକ୍ଷରୁ ସେଭଳି କୌଣସି ପ୍ରସ୍ତାବ ଏକନାଥ ସିନ୍ଦେଙ୍କୁ ଦିଆଯାଇନି। ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନ ପାଇଁ ବିଜେପି ସ୍ବାଧୀନ ଏବଂ ଛୋଟ ଦଳଙ୍କଠାରୁ ସମର୍ଥନ ପାଇଛି। ସୂଚନାନୁଯାୟୀ ଏକନାଥ ସିନ୍ଦେ ଏବଂ ୩୫ ବିଧାୟକ ଏବେ ସରକାର ବିରୋଧରେ ବିଦ୍ରୋହ କରିଛଛନ୍ତି। ଏହାର ଅର୍ଥ ରାଜ୍ୟ ସରକାର ଏବେ ସଂଖ୍ୟାଗରିଷ୍ଠତା ହରାଇଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ କିଛି କହିହେବନି ବୋଲି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି।