ମହାରାଷ୍ଟ୍ରରେ ସିନ୍ଦେ ରାଜ୍‌: ଅଟୋ ଚଲାଉଥିଲେ, ରାଜ୍ୟ ଚଳାଇବେ

ମୁଖ୍ୟମନ୍ତ୍ରୀ ହେଲେ ଏକନାଥ ସିନ୍ଦେ, ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଭିତରେ ଗୁରୁବାର ଦିନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କେବେଦିନେ ଅଟୋ ଚଳାଉଥିଲେ, ଏବେ ସେ ରାଜ୍ୟ ଚଳାଇବାକୁ ଯାଉଛନ୍ତି। ସିନ୍ଦେଙ୍କ ସହିତ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍‌ୟାରୀ ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ନେବାପରେ ସିନ୍ଦେ କହିଛନ୍ତି, ବାଲାସାହେବ ଠାକ୍‌ରେ ଏବଂ ‘ଧର୍ମବୀର’ ଆନନ୍ଦ ଦିଘେଙ୍କ ବିଚାରଧାରାର ବିଜୟ ହୋଇଛି। ଆମ ସରକାର ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା କରିବ ଏବଂ ରାଜ୍ୟର ବିକାଶ ପାଇଁ କାମ କରିବ ବୋଲି ସେ କହିଛନ୍ତି।

ସିନ୍ଦେ ଏବଂ ଫଡ଼ନାବିସଙ୍କୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି। ସିନ୍ଦେଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ କହିଛନ୍ତି, ଜଣେ ତୃଣମୂଳ ସ୍ତରର କର୍ମୀଭାବେ ସି‌ନ୍ଦେ ବିଶାଳ ରାଜନୈତିକ ଏବଂ ପ୍ରଶାସନିକ ଅଭିଜ୍ଞତା ନେଇ ଆସିଛନ୍ତି। ମହାରାଷ୍ଟ୍ରର ପ୍ରଗତିକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ସିନ୍ଦେ କାମ କରିପାରିବେ ବୋଲି ମୋର ଦୃଢ଼ ବିଶ୍ବାସ ଅଛି। ଅନ୍ୟପକ୍ଷେ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଶୁଭେଚ୍ଛା ଜଣାଇ ମୋଦୀ କହିଛନ୍ତି, ଫଡ଼ନାବିସ ପ୍ରତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଅଭିଜ୍ଞତା ଏବଂ ଅନୁଭୂତି ସରକାର ପାଇଁ ଏକ ସମ୍ପତ୍ତି। ମହାରାଷ୍ଟ୍ର ପ୍ରଗତିକୁ ସେ ଆହୁରି ସୁଦୃଢ଼ କରିବେ। ଅମିତ ଶାହ ମଧ୍ୟ ଉଭୟ ସିନ୍ଦେ ଏବଂ ଫଡ଼ନାବିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଗୁରୁବାର ଦିନସାରା ଦେବେନ୍ଦ୍ର ଫଡ଼ନାବିସ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏବଂ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର ଚାଲିଥିଲା। ଅପରାହ୍ନ ୪.୩୦ରେ ଏକ ସାମ୍ବାଦିକ ସମ୍ମିଳନୀରେ ଫଡ଼ନାଭିସ ସମସ୍ତଙ୍କୁ ଚମକାଇ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ଏବଂ ସେ ସରକାରରେ ସାମିଲ ହେବେନାହିଁ ବୋଲି କହିଥିଲେ। କିନ୍ତୁ ଏହାର ୩ ଘଣ୍ଟା ପରେ ଫଡ଼ନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ଅନୁରୋଧକ୍ରମେ ଫଡ଼ନାବିସ ସରକାରରେ ରହିବାପାଇଁ ନିଷ୍ପତ୍ତି ନେଇଥିଲେ। ନଡ୍ଡାଙ୍କ ଅନୁରୋଧକ୍ରମେ ଫଡ଼ନାବିସ ସିନ୍ଦେ ସରକାରରେ ଯୋଗ ଦେଇଛନ୍ତି ବୋଲି ଗୃହମନ୍ତ୍ରୀ ଅମିତ ଶାହ ବି ଆଜି ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ଫଡ଼ନାବିସ କହିଛନ୍ତି, ଦଳର ନିର୍ଦ୍ଦେଶକୁ ମୁଁ ପାଳନ କରି ସରକାରରେ ଉମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଛି।

ସମ୍ବନ୍ଧିତ ଖବର