ନୂଆଦିଲ୍ଲୀ : ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ। ଲଗାତାର ୪ ଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୬୪ରେ ସତରାରେ ଜନ୍ମ ହୋଇଥିବା ସିନ୍ଦେ ଖୁବ୍ କମ୍ ବୟସରୁ ଥାନେ ଆସି ତାଙ୍କ ପଢ଼ା ଶେଷ କଲେ। ସିନ୍ଦେ ଏକାଦଶ ଯାଏଁ ପାଠ ପଢ଼ିଛନ୍ତି। ନିଜ ପରିବାର ଚଳାଇବା ପାଇଁ ସିନ୍ଦେଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ପାଠପଢ଼ା ଛାଡ଼ି ସିନ୍ଦେ ପରିବାର ଚଳାଇବାପାଇଁ ଅଟୋରିକ୍ସା ଚଳାଉଥିଲେ। ୧୯୮୦ରେ ସେ ଶିବସେନା ସୁପ୍ରିମୋ ବାଲାସାହେବ ଠାକ୍ରେଙ୍କ ଦ୍ବାରା ଅନୁ୍ପ୍ରାଣିତ ହୋଇ ଶିବସେନାରେ ଜଣେ ସୈନିକ ଭାବେ ଯୋଗ ଦେଇଥିଲେ। ସେ ସମୟରେ ସିନ୍ଦେ ଅନେକ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର-କର୍ଣ୍ଣାଟକ ଆନ୍ଦୋଳନରେ ଯୋଗଦେଇ ସିନ୍ଦେ ୪୦ ଦିନ ଜେଲ୍ରେ ମଧ୍ୟ ରହିଛନ୍ତି।
ତେବେ ଖୁବ୍ଶୀଘ୍ର ସିନ୍ଦେ ଥାନେ-ପଲ୍ଘର ଅଞ୍ଚଳରେ ଜଣେ ପ୍ରମୁଖ ଶିବସେନା ନେତା ପାଲଟିଗଲେ। ଜନକଲ୍ୟାଣ କାର୍ଯ୍ୟ ପାଇଁ ସେ ସବୁଠି ଆଦୃତ ହେଲେ। ସିନ୍ଦେଙ୍କ ପ୍ରତି ଜନ ସମର୍ଥନ ଦେଖି ଏବଂ ସେନା ପ୍ରତି ତାଙ୍କ ସମର୍ପଣ ମନୋଭାବ ଦେଖି ତାଙ୍କୁ ୧୯୯୭ରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିଲା। ସିନ୍ଦେ ପ୍ରଥମେ ଥାନେ ପୌର ନିଗମ ନିର୍ବାଚନରେ ଜଣେ କର୍ପୋରେଟର ଭାବେ ଲଢ଼ି ବିପୁଳ ଭୋଟ୍ରେ ଜିତିଥିଲେ। ସିନ୍ଦେ କେବଳ ଥାନେ ପୌର ନିଗମରେ ସୀମିତ ରହିଲେନି, ସେ ସମ୍ପୂର୍ଣ୍ଣ ଥାନେ ଜିଲ୍ଲାରେ ବିକାଶ କାର୍ଯ୍ୟ ଉପରେ ଗୁରୁତ୍ବ ଦେଲେ। ୨୦୦୪ରେ ସିନ୍ଦେଙ୍କୁ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଲା। ଥାନେ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ସିନ୍ଦେ ଜିତିଥିଲେ। ୫୮ ବର୍ଷୀୟ ସିନ୍ଦେ ଲଗାତାର ୪ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି। ୨୦୧୪ ନିର୍ବାଚନ ପରେ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ନିର୍ବାଚିତ କରାଗଲା। ଏମଭିଏ ସରକାରରେ ସିନ୍ଦେ ଜଣେ ମନ୍ତ୍ରୀ ଥିଲେ। ସିନ୍ଦେ ବିବାହିତ। ତାଙ୍କ ପତ୍ନୀଙ୍କ ନାମ ଲତା ସିନ୍ଦେ। ତାଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଜଣେ ଅର୍ଥୋପେଡିକ ସର୍ଜନ୍। କଲ୍ୟାଣ ନିର୍ବାଚନମଣ୍ଡଳୀରୁ ସେ ଲୋକସଭା ସାଂସଦ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sindhe.jpg)