ଥାନେ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ଆଜି ଶିବସେନା ସାଂସଦ ସଂଜୟ ରାଉତଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ଶ୍ରୀକାନ୍ତ ସିନ୍ଦେ ସଂଜୟ ରାଉତଙ୍କୁ ହତ୍ୟା କରିବାପାଇଁ ଥାନେର ଜଣେ ଗ୍ୟାଙ୍ଗଷ୍ଟରକୁ କଣ୍ଟ୍ରାକ୍ଟ ଦେଇଛନ୍ତି ବୋଲି ସଂଜୟ ରା‌ଉତ ଅଭିଯୋଗ କରିଥିବାବେଳେ ଶ୍ରୀକାନ୍ତ ସିନ୍ଦେ ଏହାକୁ ଖଣ୍ଡନ କରିଛନ୍ତି। ଶ୍ରୀକାନ୍ତ ସିନ୍ଦେ ରାଉତଙ୍କୁ କଟାକ୍ଷ କରି କହିଛନ୍ତି, ସଂଜୟ ରାଉତ ମହାରାଷ୍ଟ୍ର ପାଇଁ ଅତି ଅପରିହାର୍ଯ୍ୟ। ତାଙ୍କ ବିନା ରାଜ୍ୟର ସକାଳ ମନୋରଂଜନ ସମ୍ଭବ ନୁହେଁ। ଏଥିପାଇଁ ମୁଁ ତାଙ୍କୁ ନେଇ ଖୁବ୍‌ ଚିନ୍ତିତ। ସଂଜୟ ରାଉତଙ୍କର ସିଜୋଫ୍ରେନିଆ ପରି ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହିଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀକାନ୍ତ ରାଉତଙ୍କୁ କଟାକ୍ଷ କରିଛନ୍ତି।

Advertisment

ଶ୍ରୀକାନ୍ତ କହିଛନ୍ତି, ରାଉତ ପ୍ରଥମେ କହିଥିଲେ ଯେ ତାଙ୍କୁ ହତ୍ୟା କରିବାପାଇଁ କଣ୍ଟ୍ରାକ୍ଟ ଦିଆଯାଇଛି। କିନ୍ତୁ ପୁଲିସ ତାଙ୍କ ବୟାନ ରେକର୍ଡ କରିବାବେଳେ ସେ କହିଲେ ଯେ ତାଙ୍କ ଉପରକୁ ସ୍ୟାହି ଫୋପାଡ଼ିବା ପାଇଁ କିମ୍ବା ତାଙ୍କୁ ଠେଲିଦେବାପାଇଁ ଯୋଜନା‌ ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସଂଜୟ ରାଉତଙ୍କ ବିରୋଧରେ ଏକ ମାନହାନି ମାମଲା ରୁଜୁ ହୋଇଛି। ପୂର୍ବତନ ଥାନେ ମେୟର ମିନାକ୍ଷୀ ସିନ୍ଦେ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଅଭିଯୋଗ କରିବାପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଆଇପିସିର ବିଭିନ୍ନ ଧାରା ଅଧୀନରେ ରାଉତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।