ଆଗ୍ରା: ବଞ୍ଚି ଥାଉ ଥାଉ ମାରିଦେବା ସହ ପେନସନ ରୋକିବାରୁ ନ୍ୟାୟ ମାଗିଲେ ବୃଦ୍ଧ। ଆଗ୍ରାରେ ରହୁଥିବା ଦୀନାନାଥ ଯାଦବଙ୍କ ସହ ଘଟିଛି ଏଭଳି ଘଟଣା। ମାର୍ଚ୍ଚ ମାସରେ ତାଙ୍କ ପେନସନ ବନ୍ଦ ହୋଇଥିବା ବେଳେ ଏବେ ଅନ୍ୟ କିଛି ବାଟ ନପାଇ ବେକରେ ପ୍ଲାକାର୍ଡ ଓହଳାଇ ବୁଲୁଛନ୍ତି ଦୀନାନାଥ। ଆଗ୍ରା ମୁଖ୍ୟ ବିକାଶ ଅଧିକାରୀ (ସିଡିଏ) କାର୍ଯ୍ୟାଳୟର କର୍ମଚାରୀ ତାଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କ ପେନସନ ବନ୍ଦ ହୋଇଥିବା ସେ କହିଛନ୍ତି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଯାଦବ କହିଛନ୍ତି ଯେ, ମୁଁ ୭୦ବର୍ଷରେ ବି ପୂରା ଫିଟ୍ ଅଛି। ସବୁଦିନ ଧାନ ବିଲକୁ କାମ କରିବାକୁ ଯାଉଛି। ଗତ ଦୁଇ ବର୍ଷ ହେଲାଣି ମୋତେ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା। ହେଲେ ମାର୍ଚ୍ଚ ମାସରେ ହଠାତ୍ ଭତ୍ତା ଆସିବା ବନ୍ଦ ହୋଇଗଲା। ଏବିଷୟରେ ସରପଞ୍ଚଙ୍କୁ ପଚାରିଥିଲେ ବି ସେ କିଛି କହିନଥିଲେ। ପରେ ମୁଁ ସିଡିଏ ଯିବା ପରେ, ସରକାରୀ କାଗଜପତ୍ରରେ ମୋତେ ମୃତ ଦର୍ଶାଯାଇଥିବା ଜାଣିବାକୁ ପାଇଥିଲି। ଗତ ଆଠ ମାସ ମଧ୍ୟରେ ମୁଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି। ହେଲେ କୌଣସି ସୁଫଳ ନମଳିବାରୁ ବେକରେ 'ମୁଁ ବଞ୍ଚିଛି' ଲେଖାଥିବା ପ୍ଲାକାର୍ଡ ଓହଳାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟକୁ ଯିବାକୁ ସ୍ଥିର କଲି। ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନଜର ମୋ ଉପରେ ପଡ଼ିଲା। ଏବେ ସେ ଏଭଳି ଭୁଲ କିଭଳି ହେଲା ଏବଂ ଏଥିପାଇଁ ଦାୟୀ କିଏ, ତା’ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।