‘ଇଣ୍ଡିଆ ଗେଜେଟ୍’ରେ ନାମ ପ୍ରକାଶ କରିବାକୁ ହାଇକୋର୍ଟରେ ମାମଲା କଲେ ୮୦ ବର୍ଷୀୟ ବୃଦ୍ଧା !

ନୂଆଦିଲ୍ଲୀ: ପଞ୍ଜାବର ଜଣେ ୮୦ ବର୍ଷୀୟ ବୃଦ୍ଧା ନିଜର ପରିବର୍ତ୍ତିତ ନାମକୁ ଭାରତୀୟ ରାଜପତ୍ର (ଗେଜେଟ୍ ଅଫ୍ ଇଣ୍ଡିଆ)ରେ ପ୍ରକାଶିତ କରିବାକୁ ଦିଲ୍ଲୀ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। ବୃଦ୍ଧା ଜଣକ କହିଛନ୍ତି, ଫଟୋ ପରିଚୟ ପତ୍ର ନଥିବାରୁ ସେ ନିଜର ସଞ୍ଚୟ ଓ ନିବେଶ ଅର୍ଥକୁ  ବ୍ୟାଙ୍କରୁ ବାହାର କରିପାରୁ ନାହାନ୍ତି। ତାହା ବ୍ୟାଙ୍କରେ ପଡ଼ି ରହିଛି।  କୋର୍ଟ  ଏହି ମାମଲାର ଶୁଣାଣି ଏପ୍ରିଲ ୧୨ରେ କରିବେ।

ପଞ୍ଜାବର ହୋସିଆରପୁରରେ ରହୁଥିବା ବିଧବା ମହିଳା ପ୍ରଭା ସୁଦ ଦାୟର କରାଇଥିବା ମାମଲାରେ ଦର୍ଶାଇଛନ୍ତି, ୨୦୦୨ରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। ତାଙ୍କ ଜନ୍ମ ୧୯୪୧ ରେ ହୋଇଥିଲା, ସେ ୧୯୬୩ରେ ପ୍ରକାଶ ସୁଦଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ନାମ ଶଶି ସୁଦରୁ ପ୍ରଭା ସୁଦକୁ ପରିବର୍ତ୍ତିତ ହୋଇଥିଲା। ତାଙ୍କ ସ୍ଵାମୀ ୨୦୦୯ରେ ମୃତ୍ୟୁବରଣ କଲେ। ନୂଆ ନାମରେ ତାଙ୍କ ପାଖରେ କୌଣସି ଫଟୋ ପରିଚୟ ପତ୍ର ନାହିଁ କିନ୍ତୁ ବ୍ୟାଙ୍କ ଅଧିକାରୀ ବ୍ୟାଙ୍କ ଖାତା ପାଇଁ ଫଟୋ ପରିଚୟ ପତ୍ର ମାଗୁଛନ୍ତି।

ପ୍ରଭା ସୁଦ କହିଛନ୍ତି, ୧୯୯୯ରେ ତାଙ୍କ ପୂର୍ବ ନାମ ଶଶି ସୁଦ ଦେଇ  ବ୍ୟାଙ୍କରେ ଖାତା ଖୋଲି ଇକ୍ୟୁଟି ଶେୟାର୍ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିଥିଲେ। ସେହି ସମୟରେ କେଓ୍ଵାଇସି ଆଧାରିତ ପରିଚୟ ପତ୍ର ଯେପରିକି ଭୋଟର୍ କାର୍ଡ୍, ପ୍ୟାନ୍ କାର୍ଡର ବାଧ୍ୟତାମୂଳକ ଭାବେ ଇକ୍ୟୁଟି ଶେୟାର୍ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ପାଇଁ ଆବଶ୍ୟକ ନଥିଲା । ତେଣୁ ସେ ଭୋଟର୍ କାର୍ଡ୍, ପ୍ୟାନ୍ କାର୍ଡ ବିନା ବ୍ୟାଙ୍କରେ ଖାତା ଖୋଲିଥିଲେ ଓ ନିବେଶ ବି କରି ପାରିଥିଲେ।
୨୦୧୨ରେ ହୋସିଆରପୁରର ଡେପୁଟି କମିସନର ତାଙ୍କୁ ଏକ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରିଥିବା ଆବେଦନକାରୀ କହିଛନ୍ତି। ସେ ଦିଲ୍ଲୀର ପ୍ରକାଶନ ବିଭାଗରେ  ଆବେଦନପତ୍ର ଦାଖଲ କରିଥିଲେ ଏବଂ ତାଙ୍କ ନାମ ଶଶି ପ୍ରଭା ସୁଦ ଏବଂ ଶଶି ସୁଦରୁ ପ୍ରଭା ସୁଦକୁ ପରିବର୍ତ୍ତିତ କରି ଦେଇଛନ୍ତି ବୋଲି ଦର୍ଶାଇଥିଲେ। ଏହି ତଥ୍ୟ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ ପାଇଲେ ସେ ନିଜ ଅର୍ଥ ବ୍ୟାଙ୍କରୁ ବାହାର କରିପାରିବେ। ତେବେ ବିଭାଗ ଆପତ୍ତି ଦର୍ଶାଇ ତାଙ୍କ ପରିବର୍ତ୍ତିତ ନାମକୁ ଭାରତର ଅଫିସିଆଲ୍ ରାଜପତ୍ରରେ(ଗେଜେଟରେ) ପ୍ରକାଶ କରିବାକୁ ମନା କରିଦେଇଛି।

ଏହା ପରେ ଦିଲ୍ଲୀ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି ମହିଳା।

ସମ୍ବନ୍ଧିତ ଖବର