ଭୋପାଳ: ମଧ୍ୟପ୍ରଦେଶର ସମସ୍ତ ୨୩୦ ଆସନ ଓ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ମଧ୍ୟପ୍ରଦେଶରେ ୭୨ ପ୍ରତିଶତ ଏବଂ ଛତିଶଗଡ଼ରେ ୬୯ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ସହିତ ମଧ୍ୟପ୍ରଦେଶର ମୋଟ୍ ୨୫୩୩ ପ୍ରାର୍ଥୀ ଏବଂ ଛତିଶଗଡ଼ର ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି। ଡିସେମ୍ବର ୩ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବ। ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲାରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇବାରୁ ଜଣେ ଆଇଟିବିପି ଯବାନ ସହିଦ ହୋଇଯାଇଛନ୍ତି। ଜିଲ୍ଲାର ଗୋବରା ଗ୍ରାମରେ ନିର୍ବାଚନ ସରିବା ପରେ ସୁରକ୍ଷା କର୍ମୀମାନେ ପୋଲିଂ ପାର୍ଟିକୁ ନେଇ ଫେରୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ ହେବାରୁ ଏଥିରେ ଆଇଟିବିପି ଯବାନ ଯୋଗେନ୍ଦ୍ର ସିଂହ ସହିଦ ହୋଇଯାଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ଭିଣ୍ଡ, ମୁରୈନା, ଇନ୍ଦୋର, ନର୍ମଦାପୁରମ, ମଉ, ଛିନ୍ଦୱାଡ଼ାରେ ୨୦ରୁ ଅଧିକ ହିଂସା ମାମଲା ରିପୋର୍ଟ ହୋଇଛି। ମେହଗାଓଁ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଏବଂ ଜଣେ ଆପ୍ ସମର୍ଥକ କିଛି ଅଜ୍ଞାତ ଲୋକଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଛତିଶଗଡ଼ର ରାୟପୁର ଓ ଧମତରୀରେ ମଧ୍ୟ ହିଂସା ହୋଇଛି।
ମଧ୍ୟପ୍ରଦେଶର ନର୍ମଦାପୁରମର ମାଖନ ନଗରରେ ଭାଜପା କାର୍ଯ୍ୟକାଳୟରେ ପଶି କିଛି ଲୋକ ଭଙ୍ଗାରୁଜା କରିବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଂଗ୍ରେସ ପ୍ରାର୍ଥୀ ପୁଷ୍ପରାଜ ସିଂହ ପଟେଲ ଏହି ହିଂସାରେ ସାମିଲ ଥିବା ନେଇ ଏକ ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ସ୍ଥାନରେ କଂଗ୍ରେସ-ବିଜେପି ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିବା ରିପୋର୍ଟ ମିଳିଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେହିଭଳି ମୁରୈନାରେ ଦୁଇଟି ବିଧାନସଭା ଆସନରେ ସଂଘର୍ଷ ଓ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଦିମନୀ ଓ ଜୌରା ବିଧାନସଭା ଆସନରେ କଂଗ୍ରେସ ଓ ବିଜେପି ସମର୍ଥକମାନେ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଥିଲେ। ପ୍ରବଳ ମାରପିଟ ସହିତ ଗୁଳିମାଡ଼ ଘଟଣା ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା। ଦିମନୀରେ ଏକାଧିକ ସଂଘର୍ଷରେ ୧୫ରୁ ଅଧିକ ଆହତ ହୋଇଥିବା ବେଳେ ମହୁ ଜିଲ୍ଲା ଖଣ୍ଡାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଇନ୍ଦୋରରେ ମଧ୍ୟ ବିଜେପି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ରାଜନଗର ଆସନର କଂଗ୍ରେସ ପ୍ରାର୍ଥୀ ବିକ୍ରମ ସିଂହଙ୍କୁ ବିଜେପି ସମର୍ଥକମାନେ ହତ୍ୟା କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ର ରାୟପୁରରେ ବିଜେପି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଧମତରୀରେ ମାଓବାଦୀମାନେ ଏକ ବୁଥ୍ ନିକଟରେ ଆକ୍ରମଣ ଆରମ୍ଭ କରିବା ପରେ ସେଠାରେ ତୁରନ୍ତ ସୁରକ୍ଷା ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।