ଆଜିଠୁ ଜାରି ହେବ ନିର୍ବାଚନୀ ବଣ୍ଡ୍‌

୧୨ ତାରିଖ ପର୍ଯ୍ୟନ୍ତ କିଣିହେବ, କେବଳ ଷ୍ଟେଟ୍‌ ବ୍ୟାଙ୍କ‌ରେ ମିଳିବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଶନିବାର ୨୪ତମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍‌ ଜାରିକୁ ମଞ୍ଜୁରି ଦେଇଛନ୍ତି। ସୋମବାରଠାରୁ ଏହାକୁ ଜାରି କରାଯିବ। ଗୁଜରାଟରେ ସୋମବାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ଦିନଠାରୁ ସଂଯୋଗବଶତଃ ନିର୍ବାଚନୀ ବଣ୍ଡ୍‌ ବିକ୍ରି କରାଯିବ। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହାର ବିକ୍ରି କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କର ୨୯ଟି ସ୍ବୀକୃତିପ୍ରାପ୍ତ ଶାଖାରେ ହେବ।

ନଗଦ ଅର୍ଥ ବଦଳରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନ ପାଇଁ ନିର୍ବାଚନୀ ବଣ୍ଡ୍‌ ବ୍ୟବସ୍ଥା କରାଯାଇଛି। ସାଧାରଣତଃ ନିର୍ବାଚନୀ ‌ବଣ୍ଡ୍‌ କୌଣସି ନିର୍ଦ୍ଦିଷ୍ଟ ମାସର ପ୍ରଥମ ୧୦ ଦିନ ଅର୍ଥାତ୍‌ ୧ରୁ ୧୦ ତାରିଖ ମଧ୍ୟରେ ଜାରି କରାଯାଇଥାଏ। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍‌ ୨୦୧୮ ମାର୍ଚ୍ଚ ୧ରୁ ୧୦ ମଧ୍ୟରେ ହୋଇଥିବା‌େବେଳେ ୨୧ତମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍‌ ୨୦୨୨ ଜୁଲାଇ ୧ରୁ ୧୦ ଭିତରେ ଏବଂ ୨୨ତମ ବଣ୍ଡ୍‌ ଚଳିତବର୍ଷ ଅକ୍ଟୋବର ୧ରୁ ୧୦ ତାରିଖ ମଧ୍ୟରେ ହୋଇଥିଲା। କିନ୍ତୁ ୨୩ତମ ପର୍ଯ୍ୟାୟ ନିର୍ବାଚନୀ ବଣ୍ଡ୍‌ ନଭେମ୍ବର ୯ରୁ ୧୫ ମଧ୍ୟରେ ଜାରି କରାଯାଇଥିବା‌ବେଳେ ୨୪ତମ ନିର୍ବାଚନୀ ବଣ୍ଡ୍‌ ଡିସେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ବିକ୍ରି କରାଯିବ।

ଯେଉଁସବୁ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କ ଶାଖା ଜରିଆରେ ବଣ୍ଡ୍‌ ଜାରି ହେବ ସେଗୁଡ଼ିକ ମଧ୍ୟରେ ଲକ୍ଷ୍ନୌ, ସିମ୍‌ଲା, ଡେରାଡୁନ, କୋଲକାତା, ଗୌହାଟୀ, ଚେନ୍ନାଇ, ପାଟନା,ନୂଆଦିଲ୍ଲୀ, ଚଣ୍ଡୀଗଡ଼, ଶ୍ରୀନଗର, ଗାନ୍ଧୀନଗର, ଭୋପାଳ, ରାୟପୁର ଏବଂ ମୁମ୍ବାଇ ରହିଛି।
ନିର୍ବାଚନୀ ବଣ୍ଡ୍‌ର ବୈଧତା ଜାରି ହେବା ଦିନଠାରୁ ୧୫ ଦିନ ପାଇଁ ରହିବ। ଯଦି ଜାରି ହେବାର ୧୫ ଦିନ ପରେ ଜମା କରାଯାଏ ତାହେଲେ କୌଣସି ରାଜନୈତିକ ଦଳକୁ ଅର୍ଥ ପଇଠ କରାଯିବ ନାହିଁ। ଭାରତୀୟ ନାଗରିକ ଏବଂ ସଂସ୍ଥାମାନେ ଏହି ବଣ୍ଡ୍‌ କିଣିପାରିବେ। ଗତ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ୧ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପଞ୍ଜୀକୃତ ରାଜନୈତିକ ଦଳଗୁଡ଼ିକ ଏହା ମାଧ୍ୟମରେ ପାଣ୍ଠି ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି।

ସମ୍ବନ୍ଧିତ ଖବର