ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ଆଜି ରଦ୍ଦ କରିଦେବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ସବୁଠାରୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ୨୦୧୬ରୁ ୨୦୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ଦିଆଯାଇଥିବା ଦାନର ୬୦%ରୁ ଅଧିକ କେବଳ ମାତ୍ର ବିଜେପି ଦଳ ପାଇଥିଲା।
ତେବେ, ୨୦୨୪ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଲେକ୍ଟୋରାଲ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରି ଏହାକୁ ରଦ୍ଦ କରି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଏହି ଯୋଜନା ନାଗରିକଙ୍କ ସୂଚନା ପାଇବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି।
ଉଲ୍ଲେଖଯୋଗ୍ୟ, ଇଲେକ୍ଟୋରାଲ ବଣ୍ଡ ହେଉଛି ଏକ ଆର୍ଥିକ ଉପକରଣ ଯାହା ବ୍ୟକ୍ତି ବିଶେଷ ଏବଂ ବ୍ୟବସାୟୀମାନଙ୍କୁ ରାଜନୈତିକ ଦଳଗୁଡ଼ିକୁ ବେନାମୀ ଚାନ୍ଦା ଦେବାକୁ ଅନୁମତି ଦେଇଥାଏ। ଦଳଗୁଡ଼ିକୁ ନଗଦ ଦାନର ବିକଳ୍ପ ଭାବରେ ୨୦୧୬ରେ ବିଜେପି ସରକାର ଏହାକୁ ପ୍ରଚଳନ କରିଥିଲେ। ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ଏହାକୁ ଏକ ପଦକ୍ଷେପ ଭାବରେ ଉପସ୍ଥାପନ କରାଯାଇଥିଲା।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୨୨ ମଧ୍ୟରେ ୧୬,୪୩୭.୬୩ କୋଟି ଟଙ୍କାର ୨୮,୦୩୦ ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି। ବିଜେପି ଏହି ଦାନର ପ୍ରାଥମିକ ହିତାଧିକାରୀ ଥିଲା ଏବଂ ୧୦,୧୨୨ କୋଟି ଟଙ୍କା ପାଇଥିଲା, ଯାହା କି ମୋଟ ଦାନର ପ୍ରାୟ ୬୦%। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମାନ ସମୟ ମଧ୍ୟରେ ୧୫୪୭ କୋଟି ଟଙ୍କା ବା ୧୦ ପ୍ରତିଶତ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସକୁ ୮୨୩ କୋଟି ଟଙ୍କା ବା ସମସ୍ତ ଇଲେକ୍ଟୋରାଲ ବଣ୍ଡର ୮ ପ୍ରତିଶତ ମିଳିଛି।
ଇଲେକ୍ଟୋରାଲ ବଣ୍ଡ ଜରିଆରେ ବିଜେପିକୁ ଦିଆଯାଇଥିବା ଚାନ୍ଦା ତାଲିକାରେ ଥିବା ଅନ୍ୟ ସମସ୍ତ ୩୦ଟି ଦଳ ତୁଳନାରେ ତିନି ଗୁଣ ଅଧିକ ଥିଲା।
ରିପୋର୍ଟ ଅନୁଯାୟୀ, ସାତଟି ଜାତୀୟ ଦଳକୁ ମିଳିଥିବା ଚାନ୍ଦା ଗୁଡ଼ିକ ହେଉଛି:
ବିଜେପି: ୧୦,୧୨୨ କୋଟି
କଂଗ୍ରେସ: ୧୫୪୭ କୋଟି
ଟିଏମସି: ୮୨୩ କୋଟି
ସିପିଆଇ(ଏମ୍): ୩୬୭ କୋଟି
ଏନସିପି: ୨୩୧ କୋଟି
ବିଏସପି: ୮୫ କୋଟି
ସିପିଆଇ: ୧୩ କୋଟି
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୨ ମଧ୍ୟରେ କଂଗ୍ରେସ ତୁଳନାରେ ବିଜେପି ଇଲେକ୍ଟୋରାଲ ବଣ୍ଡ ଜରିଆରେ ପାଞ୍ଚ ଗୁଣ ଅଧିକ ଚାନ୍ଦା ପାଇଛି।
କଳାଧନକୁ ରୋକିବା ଏବଂ ରାଜନୈତିକ ଚାନ୍ଦାରେ ସ୍ୱଚ୍ଛତା ଆଣିବା ପାଇଁ ଇଲେକ୍ଟୋରାଲ ବଣ୍ଡ ଅଣାଯାଇଥିବା କୁହାଯାଉଥିବା ବେଳେ ଆଜି ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଉଦ୍ଦେଶ୍ୟ ଯୁକ୍ତିଯୁକ୍ତ ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Capt-9.jpg)