ବିହାରରେ ନିର୍ବାଚନ ପ୍ରଚାର ଶେଷ, ଏହା ମୋର ଶେଷ ନିର୍ବାଚନ: ନୀତୀଶ

ପାଟନା: ଆସନ୍ତା ୭ ତାରିଖରେ ବିହାରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବା‌ଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୭୮ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ। ବାଚସ୍ପତି ଏବଂ ରାଜ୍ୟ କ୍ୟାବିନେଟ୍‌ ସଦସ୍ୟଙ୍କ ସମେତ ମୋଟ୍‌ ୧,୨୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨.୩୫ କୋଟି ଭୋଟର୍‌। ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରାରିଆ ଏବଂ ସହର୍ସାରେ ଶେଷ ରୢାଲି କରିଛନ୍ତି। ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁର୍ନିଆରେ ରୢାଲି କରି ଏକ ବଡ଼ ଘୋଷଣା କରିଛନ୍ତି। ନୀତୀଶ ପୁର୍ନିଆ ରୢାଲିରେ ଉଦ୍‌ବୋଧନ ଦେଇ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ। ଉପସ୍ଥିତ ଲୋକମାନଙ୍କୁ ସେ କହିଥିଲେ, ଆଜି ହେଉଛି ପ୍ରଚାରର ଶେଷ ଦିନ। ଦିନକ ପରେ ଭୋଟ୍‌ ଗ୍ରହଣ। ଏହା ମଧ୍ୟ ତାଙ୍କର ଶେଷ ନିର୍ବାଚନ। ନିର୍ବାଚନୀ ପ୍ରଚାରର ଶେଷ ଦିନରେ ନୀତୀଶ ଏଭଳି ଘୋଷଣା କରିଥିବାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି। ଜେଡିୟୁ-ଏନ୍‌ଡିଏ ମେଣ୍ଟକୁ ଭୋଟ୍‌ ଦେବାପାଇଁ ସେ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ଏବଂ ଏହା ତାଙ୍କର ଶେ‌ଷ ନିର୍ବାଚନ ବୋଲି ସେ କହିଛନ୍ତି।

‘ରାଜ୍ୟରେ ବିକାଶ ପାଇଁ ମୁଁ ନୀତୀଶ ସରକାର ଚାହେ’ ବିହାର ପାଇଁ ମୋଦୀଙ୍କ ଖୋଲା ଚିଠି

ପାଟନା‌: ବିହାରରେ ତୃତୀୟ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନର ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟବାସୀଙ୍କ ପାଇଁ ଏକ ଖୋଲା ଚିଠି ଲେଖିଛନ୍ତି। ମୋଦୀ କହିଛନ୍ତି, ବିହାରରେ ବିକାଶ ପାଇଁ ସେ ନୀତୀଶ ସରକାର ଚାହାନ୍ତି। ବିହାରରେ ଜାତି ଆଧାରରେ ନୁହେଁ ବରଂ ବିକାଶ ପାଇଁ ଭୋଟରମାନେ ଭୋଟ୍‌ ଦେଉଛନ୍ତି। ମିଥ୍ୟା ପ୍ରତିଶ୍ରୁତି ନୁହେଁ, ଏକ ଦୃଢ଼ ରାଜନୈତିକ ଉଦ୍ଦେଶ୍ୟ ଏବଂ ସୁଶାସନ ପାଇଁ ଲୋକେ ନିଜ ଭୋଟ୍‌ ଅଧିକାର ପ୍ରୟୋଗ କରୁଛନ୍ତି। ସାଧୁତା ଏବଂ ସ୍ବଚ୍ଛତା ପାଇଁ ଲୋକମାନେ ଭୋଟ୍‌ ଦେଉଛନ୍ତି ବୋଲି ମୋଦୀ କହିଛନ୍ତି। ଜେଡିୟୁ -ବିଜେପି ମେଣ୍ଟ ଶାସନ ସଂପର୍କରେ ମୋଦୀ କହିଛନ୍ତି, ‘ ଡବଲ୍‌ ଇଂଜିନ୍‌ ସରକାର’ର କ୍ଷମତା ବିହାରକୁ ବିକାଶର ଏକ ନୂଆ ସ୍ତରକୁ ନେଇଯିବ । ମୋଦୀ ତାଙ୍କର ଖୋଲା ଚିଠିରେ ସମ୍ପୂର୍ଣ୍ଣ ଭାବେ ବିହାରର ବିକାଶ ଉପରେ ଫୋକସ୍‌ କରିଛନ୍ତି। ସେ କହିଛନ୍ତି, କେବଳ ଏନ୍‌ଡିଏ ସରକାର ହିଁ ଉତ୍ତମ ଭିତ୍ତିଭୂମି ପ୍ରଦାନ କରିପାରିବ। ଏନ୍‌ଡିଏ ବିହାରରେ ସବୁ କ୍ଷେତ୍ରରେ ତଥା ବିଦ୍ୟୁତ୍‌,ପାଣି, ସଡ଼କ, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଆଇନ ଶୃଙ୍ଖଳା କ୍ଷେତ୍ରରେ ଶ୍ରେଷ୍ଠ କାମ କରୁଛି ବୋଲି ମୋଦୀ କହିଛନ୍ତି। ସ୍ବାମୀତ୍ବ ଯୋଜନାକୁ ଲୋକେ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଏହା ସାଧାରଣ ଲୋକଙ୍କୁ ଏକ ସମ୍ମାନାସ୍ପଦ ଜୀବନ ଜିଇଁବା ପାଇଁ ସହଯୋଗ କରିବ ବୋଲି ସେ କହିଛନ୍ତି। ବିହାରରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିବାର ମାତ୍ର କିଛି ସମୟ ପୂର୍ବରୁ ମୋଦୀ ତାଙ୍କର ଏହି ଖୋଲା ଚିଠି ଜାରି ରଖିଛନ୍ତି। ମୋଦୀ ବିହାରରେ ମୋଟ୍‌ ୧୨ଟି ରୢାଲି କରିଛନ୍ତି।

ସମ୍ବନ୍ଧିତ ଖବର