କରୋନା ଗାଇଡ୍‌ଲାଇନ୍‌ ନମାନିଲେ ବନ୍ଦ ହେବ ନିର୍ବାଚନ ପ୍ରଚାର, କଟକଣା ଜାରି କଲେ ନିର୍ବାଚନ କମିସନ

ନୂଆଦିଲ୍ଳୀ: ଦେଶରେ କରୋନା ଏବେ ତାଣ୍ଡବ ମଚାଉଛି । ଆଜିର ସଂକ୍ରମଣକୁ ନଜର କଲେ ଦେଶ ଯେ, ପୂରା କରୋନା କବଳରେ କବଳିତ ହୋଇଛି ତାହା ନିସନ୍ଦେହ । ଏହାରି ଭିତରେ କରୋନା କବଳରୁ ରକ୍ଷା ପାଇବାକୁ ସରକାର ଟିକାକରଣ ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଲୋକମାନଙ୍କୁ ଟିକା ପ୍ରତି ଆକୃଷ୍ଟ କରିବାକୁ ଚଳିତମାସ ୧୧ ତାରିଖରୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ହେଲେ କରୋନା କବଳରୁ ବଞ୍ଚିବାକୁ ହେଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ଆଦି କରୋନା କଟକଣା ମାନିବା ନିହାତି ଜରୁରୀ ବୋଲି ଆରମ୍ଭରୁ ସ୍ୱାସ୍ଥ୍ୟ ବିଭାଗ ଓ ସରକାରଙ୍କ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉଛି । ହେଲେ ଯେଉଁ ସରକାର ବା ରାଜନୈତିକ ଦଳର ନେତାମାନେ ଏକଥା ଲୋକମାନଙ୍କୁ କହି ନିଜକୁ ଲୋକଙ୍କ ସେବକ କହିବା ସହ ଲୋକଙ୍କ ଆଗରେ ମହାଜ୍ଞାନୀ ବୋଲାଉଛନ୍ତି ସେମାନଙ୍କ କାର୍ଯ୍ୟକଳାପରେ ବିଚଳିତ ହୋଇଛନ୍ତି ନିର୍ବାଚନ କମିସନ ।

ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟମାନଙ୍କରେ ହେଉଥିବା ନିର୍ବାଚନ ପରିପେକ୍ଷୀରେ ଚାଲିଥିବା ନିର୍ବାଚନ ରାଲିରେ  କରୋନା କଟକଣାକୁ ନେତାଙ୍କଠାରୁ ଆରମ୍ଭ କରି କର୍ମୀମାନେ ଯେଭଳି ଫୁ କରିଦେଉଛନ୍ତି ତାହାକୁ ନେଇ  ବିଚଳିତ ହୋଇପଡ଼ିଛନ୍ତି ନିର୍ବାଚନ କମିସନର । ୫ ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନ ମଧ୍ୟରୁ ୪ ଟି ରାଜ୍ୟରେ ଭୋଟ ଗ୍ରହଣ ଶେଷ ହୋଇଛି ଓ ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆଜି ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ହେଲେ ନିର୍ବାଚନ ପୂର୍ବରୁ ହେଉଥିବା ରାଲି, ସଭା ଓ ରୋଡ ସୋ’ରେ ଯୋଗ ଦେଉଥିବା ଲୋକଙ୍କ ମୁହଁରେ ନା ଅଛି ମାସ୍କ ନା ଅଛି ସମାଜିକ ଦୂରତା । ଲୋକଙ୍କ ମଙ୍ଗଳ ମନାସୁଥିବା ନେତାମାନେ ଭୋଟ ଲୋଭରେ, ବରିଷ୍ଠ ନେତାଙ୍କ ଆଗରେ ନିଜର ପତିଆରା ଜାହିର କରିବାକୁ ହଜାର ହଜାର ଲୋକଙ୍କୁ ଗାଈ, ମେଣ୍ଡା ଭଳି ଗାଡ଼ିରେ ଲଦି ବୋହିଆଣୁଛନ୍ତି ରାଲି ଓ ସଭାସ୍ଥଳୀକୁ।

କେବଳ ସାଧାରଣ ଜନତା ନୁହଁନ୍ତି, ମନ୍ତ୍ରୀ, ବିଧାୟକ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ କଥା ଆପଣଙ୍କୁ ଅଶ୍ଚର୍ଯ୍ୟ କରିବ ଯେ ବିଭିନ୍ନ ରୋଡ୍‌ ସୋ’ ସଭାକୁ ଉଦବୋଧନ ଦେବା ବେଳେ ସେମାନଙ୍କ ମୁହଁରେ ମାସ୍କ ରହୁନାହିଁ । ଏହାକୁ ନେଇ ନିର୍ବାଚନ ଆୟୋଗ ଏକ ଶକ୍ତ କଟକଣା ଜାରି କରିଛନ୍ତି । ଇ.ସି କହିଛନ୍ତି କି ନିର୍ବାଚନ ରାଲି କିମ୍ବା ସଭାରେ ଲୋକମାନେ  ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ । ଏହାକୁ ଉଲ୍ଳଂଘନ କଲେ ରାଲି, ପବ୍ଲିକ୍ ମିଟିଂ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ ।

ସମ୍ବନ୍ଧିତ ଖବର