ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ସମଗ୍ର ଗୁଜରାଟରେ ଏବେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଏବେ ଗୁଜରାଟରେ ଧାଡ଼ି ବାନ୍ଧି ରୢାଲି ଏବଂ ରୋଡ୍ସୋ କରୁଛନ୍ତି। ତେବେ ଗୁଜରାଟରେ ଏମିତି ବି ଏକ ଗ୍ରାମ ଅଛି ଯେଉଁଠାରେ ଏଭଳି ରାଜନୈତିକ ଡ୍ରାମା ଦେଖିବାକୁ ମିଳେନାହିଁ। ଏହି ଗ୍ରାମରେ କୌଣସି ରାଜନୈତିକ ଦଳକୁ ପ୍ରବେଶ ଅନୁମତି ନାହିଁ। ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ଗ୍ରାମଟି ରାଜକୋଟ ଜିଲ୍ଲାରେ ଅବସ୍ଥିତ। ଗ୍ରାମର ନାଁ ହେଉଛି ରାଜ ସମଧିୟାଲା। ଗ୍ରାମରେ କୌଣସି ରାଜନୈତିକ ଦଳ ପ୍ରଚାର କରିପାରିବେନି। ଏଠାରେ ରାଜନୈତିକ ପ୍ରଚାର ନିଷିଦ୍ଧ। ଗ୍ରାମବାସୀମାନେ ବିଶ୍ବାସ କରନ୍ତି ଯେ ନିର୍ବାଚନ ପ୍ରଚାର ଅଞ୍ଚଳ ପ୍ରତି ହାନୀକାରକ। ତେଣୁ ସେମାନେ ପ୍ରଚାର କାର୍ଯ୍ୟକ୍ରମକୁ ପ୍ରଶ୍ରୟ ଦିଅନ୍ତିନି। ରାଜକୋଟଠାରୁ ୨୦ କିମି ଦୂର ରାଜ ସମଧିୟାଲାରେ କେବଳ ରାଜନୈତିକ ପ୍ରଚାର ନିଷିଦ୍ଧ ନୁହେଁ ଏଠାରେ ଭୋଟ୍ ନଦେଲେ ଜରିମାନା ମଧ୍ୟ କରାଯାଏ। ଭୋଟ୍ ନଦେଇପାରିଲେ ଏଠାରେ ୫୧ ଟଙ୍କା ଜରିମାନା କରାଯାଏ।
ଗ୍ରାମବାସୀମାନେ କେତେକ ନୀତି ନିୟମରେ ବନ୍ଧା। ଭିଡିସି (ଗ୍ରାମ ଉନ୍ନୟନ କମିଟି) ପକ୍ଷରୁ ସ୍ଥିର କରାଯାଇଥିବା ନୀତି ନିୟମକୁ ଗ୍ରାମବାସୀମାନେ ମାନିବାପାଇଁ ବାଧ୍ୟ। ଭୋଟିଂର କିଛି ଦିନ ପୂର୍ବରୁ ଏହି କମିଟି ଏକ ବୈଠକ ଡାକିଥାଏ। ନିୟମ ଅନୁଯାୟୀ ବିନା କାରଣରେ କେହି ଭୋଟ୍ ଦେବାରୁ ବିରତ ରହିବେନି। ଯଥାର୍ଥ କାରଣ ନଥାଇ କେହି ଭୋଟ୍ ନଦେଲେ ୫୧ ଟଙ୍କା ଜରିମାନା କରାଯାଏ। ଯଦି କେହି ଭୋଟ୍ ଦେଇପାରିବେନି ତେବେ କମିଟି ପାଖରୁ ଅନୁମତି ନେବାପାଇଁ ପଡ଼ିବ। ୧୯୮୩ ମସିହାରୁ ଏହି ଗ୍ରାମରେ ନିର୍ବାଚନ ପ୍ରଚାର ହେଉନି। ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଏହି କଥାକୁ ଭଲଭାବେ ବୁଝି ସାରିଛନ୍ତି। ଗ୍ରାମରେ ଇଣ୍ଟରନେଟ୍ଠାରୁ ଆରମ୍ଭ କରି ୱାଇଫାଇ, ସିସିଟିଭି କ୍ୟାମେରା, ଆର୍ଓ ପ୍ଲାଣ୍ଟ୍ ଏବଂ ସବୁ ଆଧୁନିକ ଉପକରଣ ଉପଲବ୍ଧ। ଏବେ ନିକଟସ୍ଥ ଗ୍ରାମବାସୀମାନେ ମଧ୍ୟ ସମାନ ଭାବେ ନିର୍ବାଚନ ପ୍ରଚାରକୁ ମନା କରିଛନ୍ତି।