ନୂଆଦିଲ୍ଲୀ: ନିର୍ବାଚନ କମିସନର ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଲାଭାସା। ସେ ତାଙ୍କର ଇସ୍ତଫାପତ୍ର ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି। ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ଅଗଷ୍ଟ ୩୧ ସୁଦ୍ଧା ତାଙ୍କୁ ଦାୟିତ୍ବମୁକ୍ତ କରିବାକୁ ଲାଭାସା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଲାଭାସା ଆସନ୍ତା ମାସରେ ଫିଲିପାଇନ୍ସ ଭିତ୍ତିକ ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ (ଏଡିବି)ର ଉପ ସଭାପତି ଭାବେ ଯୋଗଦେବେ। ତାଙ୍କର ଏହି ନିଯୁକ୍ତି ସଂପର୍କରେ ଏଡିବି ଗତମାସ ଘୋଷଣା କରିଥିଲା।
ସୂଚନାଯୋଗ୍ୟ ଯେ ନିର୍ବାଚନ କମିସନର ଭାବେ ଲାଭାସାଙ୍କର କାର୍ଯ୍ୟକାଳ ଆଉ ୨ ବର୍ଷ ବାକି ଥିଲା। ସେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିସନର ଭାବେ ଅବସର ଗ୍ରହଣ କରିଥା’ନ୍ତେ। ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଇସ୍ତଫା ଦେଇଛନ୍ତି। ଆସନ୍ତାବର୍ଷ ଏପ୍ରିଲରେ ସେ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ ଗ୍ରହଣ କରିଥାନ୍ତେ। ମୁଖ୍ୟ ନିର୍ବାଚନ କମିସନର ଭାେବ ସେ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ପରିଚାଳନା କରିଥାନ୍ତେ। ଗତବର୍ଷ ଲୋକସଭା ନିର୍ବାଚନ ବେଳେ ଲାଭାସା ଚର୍ଚାରେ ଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ ଅଭିଯୋଗରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କୁ କମିସନ ମୁକ୍ତ କରିବାରୁ ଏଥିରେ ଅସନ୍ତୋଷ ଜଣାଇଥିଲେ ଲାଭାସା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/98fh7f98sh7sf98hsfhsf.jpg)