ନୂଆଦିଲ୍ଲୀ: ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଲାଗି ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଭୋଟ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା ବିନୋଦ ତାବଡେ ମୁମ୍ବାଇର ନାଲାସୋପାରାରେ ଭୋଟର୍ସଙ୍କୁ ଟଙ୍କା ବାଣ୍ଟୁଥିବା ନେଇ ବିରୋଧୀ ମହାବିକାଶ ଅଘାଡ଼ି ଦଳ ଅଭିଯୋଗ କରିଛି।
ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ନିର୍ବାଚନ ଆୟୋଗ ଲୋକ ପ୍ରତିନିଧିତ୍ବ ଅଧିନିୟମ ଆଧାରରେ ମାମଲା ରୁଜୁ କରିଛନ୍ତି। ତାବଡେଙ୍କ ସମେତ ବିଜେପି ପ୍ରାର୍ଥୀ ରାଜନ ନାଇକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି।
ଏହି ଘଟଣାକୁ ନେଇ ବିଜେପି ନେତା ବିନୋଦ ତାବଡେ କହିଛନ୍ତି, ‘ମୋର ବିରୋଧରେ ଉଠିଥିବା ଏସବୁ ଅଭିଯୋଗ ମିଥ୍ୟା। ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ନିର୍ବାଚନ ଆୟୋଗ ଏହି ଘଟଣା ଠିକ ଯାଞ୍ଚ କରିବ।
ଆସନ୍ତାକାଲି ନିର୍ବାଚନ ଥିବାରୁ ମୁଁ କର୍ମକର୍ତ୍ତାଙ୍କୁ ଡାକି କିଛି ଆଲୋଚନା କରିବାକୁ ଚାହୁଁଥିଲି। ଏଥିରେ ମୋର କ’ଣ ଭୁଲ ରହିଲା ମୁଁ ବୁଝି ପାରୁ ନାହିଁ। ମୁଁ ସ୍ପଷ୍ଟ ଭାବେ ଜାଣିଛି ମୋ ବିରୋଧରେ ବିରୋଧୀ ମହାବିକାଶ ଅଘାଡ଼ି ଏହି ଷଡ଼ଯନ୍ତ୍ର କରିଛି। ଆଗକୁ ପୁଲିସ ଓ ନିର୍ବାଚନ ଆୟୋଗ ଏହି ଘଟଣାର ଯାଞ୍ଚ କରିବ। ମୁଁ ଗତ ୪୦ବର୍ଷ ହେବ ଦଳରେ ଅଛି। କ’ଣ ସତ ତାହା ସମସ୍ତଙ୍କୁ ଜଣା। ବିରୋଧୀ ମହାବିକାଶ ଅଘାଡ଼ି କର୍ମକର୍ତ୍ତାମାାନେ ଭୋଟ ପୂର୍ବରୁ ଭୋଟର୍ସଙ୍କୁ ଟଙ୍କା ବାଣ୍ଟି ଦୋଷ ଆମ ଉପରେ ଲଦି ଦେଇଛନ୍ତି।’