ନିର୍ବାଚନ କମିସନଙ୍କ ଘୋଷଣା: ଏକାସଂଗରେ ବିଧାନସଭା, ଲୋକସଭା ନିର୍ବାଚନ ପାଇଁ ସକ୍ଷମ

ନୂଆଦିଲ୍ଲୀ: ୨୦୧୮ ସେପ୍‌୍‌ଟେମ୍ବର ସୁଦ୍ଧା ଏକାସଂଗରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ ସଂପୂର୍ଣ୍ଣ ସକ୍ଷମ ବୋଲି ଆଜି ଘୋଷଣା କରିଛନ୍ତି। ଏହି ବିଶାଳ ନିର୍ବାଚନ ପ୍ରକ୍ରିୟା ପାଇଁ କମିସନ ସବୁ ଦିଗରୁ ତୟାର ଅଛନ୍ତି ବୋଲି ନିର୍ବାଚନ କମିସନର ଓପି ରାଓ୍ଵତ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାସଂଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବା ପାଇଁ ବାରମ୍ବାର ଗୁରୁତ୍ୱ ଦେଉଥିବା ବେଳେ ଆଜି ନିର୍ବାଚନ କମିସନ ଏଥିରେ ମୋହର ଲଗାଇଛନ୍ତି। ଦଳମତ ନିର୍ବିଶେଷରେ ଏହି ପ୍ରକ୍ରିୟାକୁ ସମସ୍ତେ ସମର୍ଥନ କରିବା ପାଇଁ ପ୍ରଧାନମନ୍ତ୍ରୀ ପୂର୍ବରୁ ବହୁବାର ଆହ୍ଵାନ ଦେଇଥିବା ନଜିର ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ, ଆପ୍‌ ଏବଂ ବାମଦଳମାନେ ସମର୍ଥନ କରିନାହାନ୍ତି।
ନିର୍ବାଚନ କମିସନର ରାଓ୍ଵତ ଆଜି ଏ ବାବଦରେ କମିସନଙ୍କ ପ୍ରସ୍ତୁତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ ଆମର ପୂର୍ଣ୍ଣ ସାମର୍ଥ୍ୟ ରହିଥିଲେ ମଧ୍ୟ ଏକାସଂଗରେ ନିର୍ବାଚନ କରାଇବା ନିଷ୍ପତ୍ତି ସରକାରଙ୍କର ଏବଂ ଏଥିପାଇଁ ଆଇନଗତ ସଂଶୋଧନର ଆବଶ୍ୟକତା ପଡ଼ିବ। ଏକାସଂଗରେ ସମସ୍ତ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେଲେ ବିପୁଳ ପରିମାଣରେ ଇଭିଏମ୍‌ ଏବଂ ଭିଭିପିଏଟି ମେସିନ୍‌ର ଆବଶ୍ୟକତା ହେବ ଏଥିପାଇଁ ମଧ୍ୟ କମିସନ ତୟାର ରହିଛନ୍ତି ବୋଲି ସେ କହିଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏକ ଗରିବ ରାଷ୍ଟ୍ର ନିର୍ବାଚନ ପାଇଁ ଏତେ ଅର୍ଥ ଖର୍ଚ୍ଚ କରୁଥିବାରୁ ଏକାସଂଗରେ ଉଭୟ ନିର୍ବାଚନ କରାଇବା ରାଷ୍ଟ୍ର ପାଇଁ ମଙ୍ଗଳକର ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ତେବେ ଆମ୍‌ ଆଦ୍‌ମି ପାର୍ଟି ଏକାସଂଗରେ ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଢ଼ ବିରୋଧ କରିଥିବା ବେଳେ କଂଗ୍ରେସ ନେତା ସକିଲ୍‌ ଅହମ୍ମଦ କହିଛନ୍ତି ଯେ ମୋଦି ତାଙ୍କର ଲୋକପ୍ରିୟତା ହରାଉଥିବାରୁ ଗୋଟିଏ ଥରରେ ଉଭୟ ନିର୍ବାଚନ କରାଇବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର