ନିର୍ବାଚନ କମିସନ ନିଯୁକ୍ତି ପ୍ରସଙ୍ଗ: ସରକାର-ସୁପ୍ରିମକୋର୍ଟ ମୁହାଁମୁହିଁ

‘ଲକ୍ଷ୍ମଣରେଖା’ ଅଛି: ରିଜିଜୁ

ନିର୍ବାଚନ କମିସନ ନିଯୁକ୍ତି ପ୍ରସଙ୍ଗରେ ଆଜି ସରକାର ଏବଂ ସୁପ୍ରିମକୋର୍ଟ ବିଚାରପତି ପୁଣି ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ସରକାର ମୁଖ୍ୟ ନିର୍ବାଚନ କମିସନ ଓ ନିର୍ବାଚନ କମିସନଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କ ଦ୍ବାରା ଗଠିତ କମିଟି କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଭଳି ସ୍ଥିତିରେ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଖୋଲାଖୋଲି ସୁପ୍ରିମ କୋର୍ଟଙ୍କୁ ବିରୋଧ କରିଛନ୍ତି। ବିଚାରପତିମାନେ ନିଯୁକ୍ତି ପ୍ରକ୍ରିୟାର ଅଂଶବିଶେଷ ହେଲେ ବିଚାର କାର୍ଯ୍ୟ କିଏ କରିବ ବୋଲି ପ୍ରଶ୍ନ ଉଠାଇଛନ୍ତି?

ନୂଆଦିଲ୍ଲୀ : ଆଇନମନ୍ତ୍ରୀ କିରେନ ରିଜିଜୁ ଶନିବାର ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ରହିଥିବା ସାମ୍ବିଧାନିକ ଲକ୍ଷ୍ମଣରେଖା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଯଦି ବିଚାରପତିମାନେ ପ୍ରଶାସନିକ ନିଯୁକ୍ତି ପ୍ରକ୍ରିୟାର ଅଂଶ ହେବେ, ତେବେ ନ୍ୟାୟ ବିଚାର କାମ କରିବ କିଏ? ଦିଲ୍ଲୀରେ ଏକ କନକ୍ଲେଭରେ ଆଇନ ମନ୍ତ୍ରୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିିର୍ବାଚନ କମିସନ ନିଯୁକ୍ତି ସଂକ୍ରାନ୍ତ ରାୟ ଉପରେ ପଚରାଯିବାରୁ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ କମିସନର ଓ ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ଲାଗି ଏକ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ ସରକାର ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି ଏବଂ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ଏକ ବେଞ୍ଚ୍‌ ଆଦେଶ ଦେଇଥିଲେ।

ରିଜିଜୁ କହିଲେ ଯେ, ନିର୍ବାଚନ କମିସନରଙ୍କୁ କିପରି ନିଯୁକ୍ତି ଦିଆଯିବ ତା’ ଉପରେ ସମ୍ବିଧାନରେ ସ୍ପଷ୍ଟ ଲେଖା ଅଛି। ସରକାର ସେହି ଅନୁସାରେ ଏକ ଆଇନ ପ୍ରଣୟନ କରିବେ। ସେହି ଅନୁଯାୟୀ ନିଯୁକ୍ତି ହେବ।

ରିଜିଜୁ କହିଲେ ଯେ, ସେ ସୁପ୍ରିମ୍‌କୋର୍ଟଙ୍କ ରାୟର ସମାଲୋଚନା କରୁ ନାହାନ୍ତି। ତାଙ୍କ କହିବା କଥା ହେଉଛି, ଯଦି ପ୍ରଧାନବିଚାରପତି ଓ ବିଚାରପତିମାନେ ସବୁ ବଡ଼ବଡ଼ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବେ ତେବେ ନ୍ୟାୟପ‌ାଳିକା କାର୍ଯ୍ୟ ହେବ କିପରି? ଦେଶରେ ବହୁ ପ୍ରଶାସନିକ ବ୍ୟାପାର ରହିଛି। ଆମେ ଚାହୁ ବିଚାରପତିମାନେ ସୁଚାରୁରୂପେ ଲୋକଙ୍କୁ ନ୍ୟାୟ ବିଚାର ପ୍ରଦାନ କରନ୍ତୁ।

ଏହାଛଡ଼ା ସରକାର କିଛି ବିଚାରପତି ଓ ଅବସରପ୍ରାପ୍ତ ବିଚାରପତିଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କୁ ଭାରତ ବିରୋଧୀ ଗ୍ୟାଙ୍ଗ ବୋଲି ଅଭିହିତ କରିଛନ୍ତି। ଯେଉଁ ଅବସରପ୍ରାପ୍ତ ବିଚାରପତିମାନେ ଭାରତ ବିରୋଧୀ ଗ୍ୟାଙ୍ଗର ଅଂଶବିଶେଷ ଏବଂ ଯେଉଁମାନେ ନ୍ୟାୟପାଳିକାକୁ ସରକାରଙ୍କ ବିରୋଧରେ ଲଗାଇବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ରିଜିଜୁ କହିଛନ୍ତି।

ସମ୍ବନ୍ଧିତ ଖବର