ଛତିଶଗଡ଼ ସହ ଲାଗିଥିବା ସୀମାକୁ ସିଲ୍‌ କରିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଛତିଶଗଡ଼ରେ ଆସନ୍ତା ୧୨ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ରାଜ୍ୟ ବିଧାନସଭା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ଲକ୍ଷ୍ୟରେ ଛତିଶଗଡ଼ର ପଡ଼ୋଶୀ ଓଡ଼ିଶା ସହ ଲାଗିଥିବା ସୀମାକୁ ସିଲ୍‌ କରିବା ପାଇଁ ଆଜି ନିର୍ବାଚନ କମିଶନ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଓଡ଼ିଶା ସରକାରଙ୍କୁ କହିଛନ୍ତି।

ନିର୍ବାଚନ କମିଶନଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଛତିଶଗଡ଼ର ସୀମାକୁ ଲାଗିକରି ରହିଥିବା ରାଜ୍ୟର  ୮ଟି ଜିଲ୍ଲା ଯଥାକ୍ରମେ; ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଜିଲ୍ଲପାଳମାନଙ୍କ ନିକଟକୁ ଲିଖିତ ନିର୍ଦ୍ଦେଶାନାମା ପଠାଇ ତୁରନ୍ତ ଛତିଶଗଡ଼ ସହ ଲାଗି ରହିଥିବା ସୀମାକୁ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଓ ପୁଲିସ୍‌ ଅଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଏହି ୮ଟି ଜିଲ୍ଲାକୁ ପଠାଇବା ସହ ମାଓବାଦୀମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛନ୍ତି। ଏହାବାଦ୍‌ ଛତିଶଗଡ଼ରେ ଅନୁଷ୍ଠିତ ହେବାକୁ ରାଜ୍ୟ ବିଧାନସଭା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଯେପରି ସୀମାନ୍ତ ଅଞ୍ଚଳ ବାଟ ଦେଇ ମଦ ଓ କଳାଟଙ୍କା ପ୍ରଭୃତି ଯେପରି ଚାଲାଣ ହୋଇ ନପାରେ ସେଥିପ୍ରତି ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର