ସଂକଟରେ ପଡ଼ିବେ ‘ଆପ୍‌’ର ୨୦ ବିଧାୟକ, ସଦସ୍ୟତା ରଦ୍ଦ ନେଇ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ପଦବିରୁ ଲାଭ ଉଠାଇବା ମାମଲାରେ ନିର୍ବାଚନ ଆୟୋଗ ଆମ୍‌ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ଏହି ମାମଲାରେ ନିଜର ନିଷ୍ପତ୍ତି ନେବା ପରେ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ପାଇଁ ପଠାଇଛି କମିଶନ୍‌ । ନିର୍ବାଚନ ଆୟୋଗ ୨୦ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପାରିଶ କରିଛି। ଦିଲ୍ଲୀରେ କ୍ଷମତାସୀନ ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦ ଆଡ଼କୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଖ୍ୟ ନିର୍ବାଚନ ଆୟୋଗ ଅଚଳ କୁମାର ଜ୍ୟୋତି ଅବସର ନେବା ପୂର୍ବରୁ ସମସ୍ତ ପୁରୁଣା ମାମଲାଗୁଡ଼ିକ ଶେଷ କରିବାକୁ ଚାହୁଁଛନ୍ତି। ସେ ଆଗାମୀ ଜାନୁଆରି ୨୨ରେ ଅବସର ନେବେ। କିନ୍ତୁ ଆପ୍‌ ଦଳର କହିବା ଅନୁସାରେ ନିର୍ବାଚନ ଆୟୋଗ ଏହାର ନିଷ୍ପତ୍ତି ନେଇ ପାରିବ ନାହିଁ। ଏହି ନିଷ୍ପତ୍ତି ଅଦାଲତରେ ହେବା ଦରକାର।

ଆପ୍‌ର ସରକାର ୨୦୧୫ ମାର୍ଚ୍ଚରେ ୨୧ ଜଣ ବିଧାୟକଙ୍କୁ ସଂସଦୀୟ ସଚିବ ପଦରେ ନିଯୁକ୍ତି କରିଥିଲା। ଏହା ପରେ ପ୍ରଶାନ୍ତ ପଟେଲ ନାମରେ ଜଣେ ଆଇନଜୀବୀ ଏହାକୁ ‘ଲାଭକାରୀ ପଦବି’ (ଅଫିସ୍‌ ଅଫ୍‌ ପ୍ରଫିଟ୍‌) ବୋଲି ଦର୍ଶାଇ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ଅଭିଯୋଗରେ ସେ ବିଧାୟକଙ୍କ ସଦସ୍ୟତା ବାତିଲ୍‌ କରିବାକୁ ଦାବି କରିଥିଲେ। କିନ୍ତୁ ବିଧାୟକ ଜନରୈଲ ସିଂହ ଗତ ବର୍ଷ ବିଧାନସଭାରୁ ଇସ୍ତଫା ଦେବା ପରେ ଏହି ମାମଲାରେ ବର୍ତମାନ ୨୦ଜଣ ବିଧାୟକଙ୍କ ନାମ ରହିଛି।

ଏହି ମାମଲାରେ ଅଭିଯୋଗ କରିଥିବା ପ୍ରଶାନ୍ତ ପଟେଲ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଯେ, ୨୦ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବ। ସେ କହିଛନ୍ତି, ମୁଁ ଏହି ମାମଲା ୨୦୧୫ରେ ଉଠାଇ ଥିଲି। ପୁରା ଘଟଣାକୁ ଦେଖିବା ପରେ ଲାଗୁଛି ଯେ, ଏହି ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବା ଦରକାର। ନିର୍ବାଚନ ଆୟୋଗ ନିଜର ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବ। ଏଥିରେ ରାଷ୍ଟ୍ରପତି ନିଜର ମତ ରଖିବେ।

ସେ କହିଛନ୍ତି, ଆପ୍‌ ବିଧାୟକଙ୍କ ସଦସ୍ୟତା ରକ୍ଷା ହେବା ସହଜ ନୁହେଁ। କାରଣ ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବ ଆୟୋଗଙ୍କୁ ଦେଇଥିବା ସତ୍ୟପାଠରେ କହିଛନ୍ତି ବିଧାୟକଙ୍କୁ ମନ୍ତ୍ରୀ ଭଳି ସୁବିଧା ଦିଆଯାଇଛି। ଦିଲ୍ଲୀରେ ୭ଜଣ ବିଧାୟକ ମନ୍ତ୍ରୀ ହେବା କଥା, କିନ୍ତୁ ଏଠାରେ ୨୮ କରି ଦିଆଯାଇଛି।

 

ସମ୍ବନ୍ଧିତ ଖବର