ପାଟନା: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂପୂର୍ଣ୍ଣ ସଂଶୋଧନ ପାଇଁ ନିର୍ବାଚନ କମିସନଙ୍କ ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ନେତାମାନେ ଏହା ବିରୋଧରେ ଏକଜୁଟ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବିରୋଧ କରି ଏହାକୁ ଏନ୍ଆର୍ସି (ଜାତୀୟ ନାଗରିକ ପଞ୍ଜିକା) ଲାଗୁ କରିବା ସହ ସମାନ ବୋଲି କହିଥିବା ବେଳେ ଏହାପରେ ତେଜସ୍ୱୀ ଯାଦବଙ୍କ ସମେତ ଇଣ୍ଡି ମେଣ୍ଟର ଅନେକ ନେତା ଏହାକୁ ଜୋର୍ଦାର ବିରୋଧ କରିଥିଲେ। ଆଜି ହାଇଦ୍ରାବାଦ ସାଂସଦ ତଥା ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଅୱେସି ମଧ୍ୟ ଏହାକୁ ବିରୋଧ କରି ଏଭଳି ପ୍ରସ୍ତାବ ବିହାରର ଗରିବ, ପଛୁଆ ଲୋକଙ୍କ ପାଇଁ ଏକ ନିଷ୍ଠୁର ଉପହାସ ବୋଲି କହିଛନ୍ତି । ନିର୍ବାଚନ କମିସନ ଗୁପ୍ତରେ ଏନ୍ଆର୍ସି ଲାଗୁ କରିବାକୁ ଚାହୁଛନ୍ତି ବୋଲି ଅୱେସୀ ଅଭିଯୋଗ କରିଛନ୍ତି।
‘ଏକ୍ସ’ରେ ଏକ ପୋଷ୍ଟରେ ଅୱେସି କହିଛନ୍ତି, ନିର୍ବାଚନ କମିସନ ଗୁପ୍ତଭାବେ ବିହାରରେ ଏନ୍ଆର୍ସି ଲାଗୁ କରିବାକୁ ଯୋଜନା କରୁଛନ୍ତି। ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ କରିବା ପାଇଁ ଏବେ ପ୍ରତ୍ୟେକ ନାଗରିକଙ୍କୁ ଦସ୍ତାବିଜ ଜରିଆରେ ପ୍ରମାଣ କରିବାକୁ ପଡ଼ିବ ଯେ ସେ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ । ଏଭଳି ପଦକ୍ଷେପ ଏନ୍ଆର୍ସି ଲାଗୁ ସହ ସମାନ ବୋଲି ସେ କହିଛନ୍ତି।
ଅପରପକ୍ଷରେ ପାଟନାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆର୍ଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ପୱନ ଖେଡ଼ା ଏବଂ ସିପିଆଇ(ଏମ୍ଏଲ)ର ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସେମାନେ ବିହାରରେ ଭୋଟର ତାଲିକା ସଂଶୋଧନକୁ ବିରୋଧ କରିବେ।