ବର୍ଷିଲେ ମାଡ୍ରାସ ହାଇକୋର୍ଟ: ସଂକ୍ରମଣ ପାଇଁ ନିର୍ବାଚନ କମିସନ ଦାୟୀ

ରାଲିକୁ ରୋକିବାରେ କମିସନ ଅଧିକାରୀ ବିଫଳ ହୋଇଛନ୍ତି
ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ

ଚେନ୍ନାଇ : ଦେଶରେ କରୋନା ସଂକ୍ରମଣ ଆଜି ଯେଉଁ ଭୟଙ୍କର ରୂପ ନେଇଛି ସେଥିପାଇଁ କେବଳ ଭାରତର ନିର୍ବାଚନ କମିସନ ହିଁ ଦାୟୀ। କମିସନଙ୍କ ଦାୟିତ୍ବହୀନ ଆଚରଣ ପାଇଁ ଏହା ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ। କୋଭିଡ ପ୍ରୋଟୋକଲ ଉଲ୍ଲଂଘନ କରି ରାଜନୈତିକ ଦଳମାନେ ବିଶାଳ ରାଲି ଆୟୋଜନ କରୁଥିବା ବେଳେ ନିର୍ବାଚନ କମିସନ ନିରବ ରହିବା ଘଟଣାକୁ ନେଇ ମାଡ୍ରାସ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହିତ ଏହିଭଳି ଭର୍ତ୍ସନା କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ‌କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ରାଜନୈତିକ ଦଳମାନେ ସମାବେଶ, ଶୋଭାଯାତ୍ରା କରିବାରୁ ଲୋକମାନଙ୍କ ଜୀବନ ବିପଦରେ ପଡ଼ିଲା। ଏହାକୁ ଅଟକାଇବା ଲାଗି କମିସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏବେ କ‌ରୋନାର ଯେଉଁ ଦ୍ବିତୀୟ ଲହର ଚାଲିଛି ଏଥିପାଇଁ କେବଳ ନିର୍ବାଚନ କମିସନ ନାମକ ଅନୁଷ୍ଠାନ ହିଁ ଦାୟୀ। ଏଭଳି ରାଲିକୁ ଅଟକାଇବା ଲାଗି କମିସନର କ୍ଷମତା ରହିଛି, କିନ୍ତୁ ଏହାର ପ୍ରୟୋଗ କଲେନାହିଁ। ନିର୍ବାଚନ ପରିଚାଳନା କରୁଥିବା ଏହି ସଂସ୍ଥା ନିର୍ବାଚନ ରାଲି ଆୟୋଜନ ହେଉଥିବା ବେଳେ ଅଲଗା ଗ୍ରହରେ ଥିଲା କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି? ରାଲିରେ କୋଭିଡ ନିୟମ ଅନୁସରଣ କରିବା ଲାଗି କୋର୍ଟ ବାରମ୍ବାର ସତର୍କ କରାଇଥିଲେ ମଧ୍ୟ କମିସନ ଚୁପ ବସିଲା। ଏହାର ସୁଯୋଗ ନେଇ ଦଳମାନେ ବଡ଼ ବଡ଼ ରାଲି କରିବାକୁ ପଛାଇଲେ ନାହିଁ। ଫଳରେ ଆଜି ଦେଶରେ କରୋନା ଭୟଙ୍କର ରୂପ ଧାରଣ କରିଛି। ଏଥିପାଇଁ କମିସନ ଅଧିକାରୀମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବା ଉଚିତ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ସଂଜୀବ ବାନାର୍ଜୀ ଓ ବିଚାରପତି ସେନ୍ଥିଲକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। ଏଥିସହିତ କୋର୍ଟ ଚେତେଇ ଦେଇଛନ୍ତି ଯଦି ଗଣତି ବେଳେ କୋଭିଡ ନିୟମର ଠିକ୍ ପାଳନ କରାନଯାଏ, ତାହା‌ହେଲେ କୋର୍ଟ ଗଣତିକୁ ବନ୍ଦ କରିଦେବେ।

ଖଣ୍ଡପୀଠ କହିଥିଲେ ଯେ ବର୍ତ୍ତମାନ ‘ବଞ୍ଚି ରହିବା ଓ ସୁରକ୍ଷା’ ପ୍ରଥମ ହୋଇଥିବା ବେଳେ ଆଉ ସବୁ କିଛି ପଛ। ଆସନ୍ତା ମେ ୨ ତାରିଖରେ ଭୋଟ ଗଣତି ବେଳେ କୋଭିଡ ପ୍ରୋଟୋକଲ ପାଳନ ପାଇଁ କମିସନ ନକ୍ସା ପ୍ରସ୍ତୁତ କରନ୍ତୁ ଏବଂ କୋର୍ଟକୁ ଜଣାନ୍ତୁ। କମିସନଙ୍କ ଆଚରଣ ପାଇଁ ଯେଭଳି ତାମିଲନାଡ଼ୁ ଅସୁବିଧାରେ ନପଡ଼େ ତାହାକୁ ସୁନିଶ୍ଚିତ କରାଯିବା ଉଚିତ।

ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁର କାରୁର ବିଧାନସଭା ଆସନରେ ୭୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସନ୍ତା୨ ତାରିଖ ଭୋଟ ଗଣତି ବେଳେ ଗଣତିସ୍ଥଳରେ ସେମାନଙ୍କର ପ୍ରତିନିଧିମାନଙ୍କ ଉପସ୍ଥିତି ଚିନ୍ତାର ବିଷୟ ହେବାକୁ ଯାଉଛି। ତେଣୁ କୋଭିଡ୍‌ ସଂକ୍ରମଣ ପରିପ୍ରେକ୍ଷୀରେ ଭୋଟଗଣତିକୁ ଅବାଧ, ନିର୍ବିବାଦୀୟ ଓ ନିରପେକ୍ଷ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ରାଜ୍ୟ ପରିବହନ ମନ୍ତ୍ରୀ ଏମ ଆର ବିଜୟଶଙ୍କରଙ୍କ ପକ୍ଷରୁ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏପରି ବାଣୀ ଶୁଣାଇଛନ୍ତି। ଜଣେ ନାଗରିକ ବଞ୍ଚି ରହିଲେ ଗଣତନ୍ତ୍ର ଅର୍ପଣ କରୁଥିବା ଅଧିକାରଗୁଡ଼ିକ ସିଏ ଭୋଗ କରିପାରିବ ବୋଲି ଅଦାଲତ ମଧ୍ୟ ଟିପ୍ପଣୀ କରିଛନ୍ତି। ନିର୍ବାଚନ କମିସନ୍ ଏବଂ ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରି କୋଭିଡ୍‌ କଟକଣା ସଂକ୍ରାନ୍ତ ଏକ ବିଧିବିଧାନ ଆସନ୍ତା ୩୦ ତାରିଖରେ ଦାଖଲ କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ।

ସମ୍ବନ୍ଧିତ ଖବର