ନିର୍ବାଚନ ପୂର୍ବରୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚନ କମିସନ ଜବତ କଲେ ୩୩୧ କୋଟି

ନୂଆଦିଲ୍ଲୀ: ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ଦେଶର ଚାରି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ଓ କେରଳ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରୁ ବର୍ତ୍ତମାନ ସୁଦ୍ଧା ୩୩୧ କୋଟିର ନଗଦ ଟଙ୍କା, ମଦ, ଡ୍ରଗ୍‌ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇ ସାରିଲାଣି ବୋଲି ଆଜି (ବୁଧବାର) ନିର୍ବାଚନ କମିସନଙ୍କ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୬ରେ ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବିଧାନସଭା ନିର୍ବାଚନ କାଳରେ ମୋଟ ୨୨୫.୭୭ କୋଟି ଟଙ୍କା ଜବତ କରାଯାଇଥିଲା। ମତଦାନ ଆରମ୍ଭ ହେବା ପାଇଁ ଆହୁରି କିଛି ସପ୍ତାହ ବାକିଥିବା ବେଳେ ଏବେଠାରୁ ଏତେ ପରିମାଣର ଅର୍ଥ ଓ ଅନ୍ୟ ସାମଗ୍ରୀ ଜବତ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାଚନ କମିସନ।

ମତଦାନର ସମ୍ମୁଖୀନ ହେବାକୁ ଯାଉଥିବା ରାଜ୍ୟମାନଙ୍କ ମଧ୍ୟରୁ ତାମିଲନାଡୁରୁ ସର୍ବାଧିକ ୧୨୭.୬୪ କୋଟି ଟଙ୍କା ଜବତ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ୧୧୨.୫୯ କୋଟି ଟଙ୍କା ଜବତ ହୋଇଛି। ସେହିପରି ଆସାମରୁ ୬୩.୭୫ କୋଟି ଜବତ ହୋଇଥିବାବେଳେ କେରଳରୁ ୨୧.୭୭ କୋଟି ଜବତ କରାଯାଇଛି। ଏହି ସମୟରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରୁ ୫.୭୨ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କାଳରେ କଳା ଟଙ୍କାର ବ୍ୟବହାରକୁ ରୋକିବା ପାଇଁ କମିସନଙ୍କ ପକ୍ଷରୁ ୨୯୫ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହି ଅଧିକାରୀଙ୍କ ବ୍ୟତୀତ କମିସନ ମଧ୍ୟ ଏହି ରାଜ୍ୟଗୁଡିକରେ ପାଞ୍ଚଟି ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ନିର୍ବାଚନ ହେବାକୁ ଥିବା ୨୫୯ ବିଧାନସଭା ନିର୍ବାଚନମଣ୍ଡଳୀକୁ ଖର୍ଚ୍ଚ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଛି ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର