ନନ୍ଦିଗ୍ରାମ ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ମୁଖ୍ୟଙ୍କୁ ନିଲମ୍ବନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଘଟିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏହା ସହ ପୂର୍ବ ମେଦିନପୁରର ଜିଲ୍ଲାପାଳଙ୍କୁ ହଟାଇଦିଆଯିବା ସହ ଏସପିଙ୍କୁ ମଧ୍ୟ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ନିର୍ବାଚନ ପ୍ରଚାର ପାଇଁ ନନ୍ଦିିଗ୍ରାମ ଯାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ଟିଏମସି ନେତାମାନେ ନିର୍ବାଚନ ଆୟୋଗ (ଇସି) କୁ ଭେଟି ନ୍ୟାୟଯୁକ୍ତ ତଦନ୍ତ ଦାବି କରିଥିଲେ। ଏହା ପରେ ରବିବାର ଦିନ ଏହି ପ୍ରସଙ୍ଗରେ ଆୟୋଗ ଏକ ସ୍ୱତନ୍ତ୍ର ବୈଠକ ଡକାଇଥିଲେ। ଆଜିର ଏହି ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।

ତେବେ ପଦରୁ ହଟାଯିବା ସହ ଜେଡ଼ ପ୍ଲସ ସୁରକ୍ଷା ପାଇଥିବା ମମତା ବାନାର୍ଜୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାରୁ ଏକ ସପ୍ତାହ ମଧ୍ୟରେ ଆଇପିଏସ୍ ଅଧିକାରୀ ବିବେକ ସହାୟଙ୍କ ବିରୋଧରେ ମାମଲା ଦାୟର କରାଯିବ ବୋଲି ଜଣାପଡ଼ିଛି।

पश्चिम बंगाल की सीएम ममता बनर्जी
aajtak

ନିର୍ବାଚନ ଆୟୋଗକୁ ଦିଆଯାଇଥିବା ରିପୋର୍ଟରେ, ମୁଖ୍ୟମନ୍ତ୍ରୀଙ୍କ ସମେତ ପଶ୍ଚିମବଙ୍ଗର ଭିଭିଆଇପିର ସୁରକ୍ଷା ବ୍ୟବସ୍ଥାର ନିର୍ଦ୍ଦେଶକ ଥିବ‌ା ବିବେକ ସହାୟଙ୍କ ମନୋଭାବ ବିଚିତ୍ର, ଦାୟିତ୍ବହୀନ ଏବଂ ନିମ୍ନ ବୋଲି ଦର୍ଶାଯାଇଥିଲା। ସେ ନିଜେ ସାଧାରଣ ଗାଡ଼ି ବଦଳରେ ବୁଲେଟପ୍ରୁଫ୍ ଗାଡ଼ିରେ ବୁଲୁଥିବା ବେଳେ ମମତା ବାନାର୍ଜୀ ବୁଲେଟ୍ ପ୍ରୁଫ୍ ନଥିବା ଗାଡ଼ିରେ ବୁଲୁଥିବା ରିପୋର୍ଟରେ ଲେଖାଯାଇଥିଲା। ଏହି ରିପୋର୍ଟ ପାଇବା ପରେ ପୂରା ଘଟଣାକୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗ ବିବେକ ସହାୟଙ୍କୁ ପଦରୁ ହଟାଇବାର ନିଷ୍ପତ୍ତି ନେଇଛନ୍ତି।

ତେବେ ସୁରକ୍ଷା ଦେବାରେ ବିଫଳ ହେବାରୁ ଦାୟୀ ଅଧିକାରୀଙ୍କୁ ସେମାନଙ୍କ ପଦରୁ ଏବେ ହଟାଯାଇଛି। ଏହା ସହ ଏ ବାବଦରେ ପୁଲିସ ତଦନ୍ତ ଆସନ୍ତା ୧୫ଦିନ ମଧ୍ୟରେ ଶେଷ କରିବାକୁ କୁହାଯିବା ସହ ମାର୍ଚ୍ଚ ୩୧ସୁଦ୍ଧା ଏକ ରିପୋର୍ଟ ନିର୍ବାଚନ ଆୟୋଗକୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର