ନୂଆଦିଲ୍ଲୀ: ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କ ପ୍ରତି ‘ଆଇଟମ୍’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା କମଲ୍‌ ନାଥଙ୍କୁ ବୁଧବାର ଦିନ ନିର୍ବାଚନ କମିସନ୍ ନୋଟିସ ଜାରି କରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଅର୍ଥ ବୁଝାଇ ଦେବା ଲାଗି ମଧ୍ୟ କମିସନ୍‌ ତାଙ୍କୁ ନିର୍ଦେଶ ଦେଇଛନ୍ତି।

Advertisment

ଏହି ମନ୍ତବ୍ୟ ଉପରେ ଆପତ୍ତି କରି ନୋଟିସରେ କମିସନ୍ ଆଚରଣ ବିଧି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ଉପନିର୍ବାଚନ ଲାଗି ମଧ୍ୟପ୍ରଦେଶରେ ଲାଗୁ କରାଯାଇଥିବା ଆଚରଣ ବିଧି ଅନୁସାରେ, ମତପାର୍ଥକ୍ୟକୁ ଅଧିକ ଖରାପ କରିବା ଭଳି କିଂବା ପାରସ୍ପରିକ ଘୃଣା କିଂବା ଭିନ୍ନ ଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିବା ଭଳି କାର୍ଯ୍ୟକଳାପରେ କୌଣସି ଦଳ ଜଡ଼ିତ ହେବେନାହିଁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ରବିବାର ଦିନ କମଲ ନାଥ ଗ୍ବାଲିଅର୍‌ ଜିଲ୍ଲା ଅନ୍ତର୍ଗତ ଦାବ୍ରା ବିଧାନସଭା ଉପନିର୍ବାଚନ ପ୍ରଚାର ସମୟରେ ଭାଷଣ ଦେଉଥିଲେ। କଂଗ୍ରେସ ପ୍ରାର୍ଥୀ ସ‌ୁରେଶ ରାଜ‌େ ଓ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ଇମର୍ତ୍ତି ଦେବୀଙ୍କ ନୈତିକତାର ତୁଳନା କରି ଏ ଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ସୁରେଶଜୀ ଆମର ପ୍ରାର୍ଥୀ। ସେ ତାଙ୍କ ( ଇମର୍ତ୍ତି) ପରି ନୁହନ୍ତି। ତାଙ୍କ ନାଁ କ’ଣ? ମୁଁ କ’ଣ ତାଙ୍କ ନାଁ ଧରିବି? ଆପଣମାନେ ମତେ ପ୍ରଥମରୁ ହୁସିଆର୍‌ କରିବାର ଥିଲା, ସେ କି ପ୍ରକାର ‘ଆଇଟମ୍’। କମଲ୍‌ ନାଥ ଏ କଥା କହିବା ବେଳେ ଉପସ୍ଥିତ ଜନତା ଇମର୍ତ୍ତି ଦେବୀ ବୋଲି ଜବାବ ଦେଇଥିଲେ।

publive-image Image Courtesy of Hindustan Times

ଗତ ସକାଳେ ଓୟାନାଡ଼ ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ୍‌ ଗାନ୍ଧୀ ମଧ୍ୟ କହିଥିଲେ ଯେ, କମଲ୍‌ ନାଥଜୀ ମୋ ଦଳର, କିନ୍ତୁ ସେ ପ୍ରୟୋଗ କରିଥିବା ଏ ଭଳି ଭାଷାକୁ ବ୍ୟକ୍ତିଗତ ମୁଁ ଭାବେ ନାପସନ୍ଦ କରେ। ସେ ‌ଯିଏ ହୁଅନ୍ତୁ ନା କାହିଁକି, ମୁଁ ତାହାଙ୍କୁ ପ୍ରଶଂସା କରିବି ନାହିଁ। ଏହା ଦୁର୍ଭଗ୍ୟଜନକ।

ଏଭଳି ମନ୍ତବ୍ୟରେ ଉତ୍‌କ୍ଷିପ୍ତ ହୋଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ବରେ ବିଜେପି ନେତାମାନେ କମଲ୍‌ ନାଥଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଜାତୀୟ ମହିଳା କମିସନ୍ ମଧ୍ୟ କମଲ୍‌ ନାଥଙ୍କୁ ଏହି ମନ୍ତବ୍ୟ ଉପରେ କୈଫିୟତ୍ ମାଗିଛି।

କମଲ୍‌ ନାଥ କିନ୍ତୁ, ନିଜ ମନ୍ତବ୍ୟ ପ୍ରସଙ୍ଗରେ ଗତକାଲି କହିଥିଲେ, ମୁଁ ଯେଉଁ ଆଧାରରେ ଏ ଭଳି ମନ୍ତବ୍ୟ ଦେଇଥିଲି, ତାହାର ସ୍ପଷ୍ଟିକରଣ ଦେଇସାରିଛି। କାହାକୁ ଅପମାନିତ କରିବା ମୋର ଉଦ୍ଦେଶ୍ୟ ନ ଥିବା ବେଳେ କାହିଁକି କ୍ଷମା ମାଗିବି? ଯଦି କେହି ଅପମାନିତ ବୋଧ କରୁଛନ୍ତି, ସେଥିଲାଗି ମୁଁ ଦୁଃଖ ପ୍ରକାଶ କରିସାରିଛି।