ନୂଆଦିଲ୍ଲୀ/ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ବିଭାଜନ ନେଇ ଆଜି ନିର୍ବାଚନ କମିସନ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ନିର୍ବାଚନ କମିସନ ଅଜିତ ପାୱାର ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି କହିଛନ୍ତି। କମିସନ କହିଛନ୍ତି ଯେ ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ଅଜିତ ପାୱାର ଏବଂ ତାଙ୍କ ସହ ଥିବା ବିଧାୟକମାନେ ପ୍ରକୃତ ଏନ୍ସିପି ବୋଲି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ କମିସନଙ୍କ ଏହି ଘୋଷଣା ଶରଦ ପାୱାରଙ୍କ ପାଇଁ ବହୁତ ବଡ଼ ଝଟକା ହୋଇଛି। ନିର୍ବାଚନ କମିସନ କହିଛନ୍ତି ଯେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାମ ଏବଂ ଚିହ୍ନ ବ୍ୟବହାର କରିବାର ଅଧିକାର ରଖୁଛି।
୬ ମାସରୁ ଅଧିକ ସମୟ ଧରି ଚାଲିଥିବା ୧୦ରୁ ଅଧିକ ଶୁଣାଣି ପରେ ନିର୍ବାଚନ କମିସନ ମଙ୍ଗଳବାର ଅଜିତ ପାୱାରଙ୍କ ଗୋଷ୍ଠୀ ସପକ୍ଷରେ ରାୟ ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍ସିପିକୁ ନେଇ ନିର୍ବାଚନ କମିସନଙ୍କ ରାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏହା ଅଜିତ ଗୋଷ୍ଠୀକୁ ବହୁତ ବଡ଼ ଫାଇଦା ଦେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରିବା ପାଇଁ ଶରଦ ପାୱାର ଗୋଷ୍ଠୀ ସଜବାଜ ହେଉଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୦୨୩ରେ ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସେ ଏନସିପିର ୪୦ ବିଧାୟକଙ୍କ ସହ ମହାରାଷ୍ଟ୍ରର ବିଜେପି-ଶିବସେନା ସରକାରରେ ସାମିଲ ଦେଇଥିଲେ। ଏହାପରେ ତାଙ୍କୁ ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।
ଅଜିତ ପାୱାର ଦାବି କରିଥିଲେ ଯେ ତାଙ୍କ ପାଖରେ ଏନସିପିର ସଂଖ୍ୟାଗରିଷ୍ଠତା ରହିଛି। ତେଣୁ ଦଳର ନାମ ଓ ନିର୍ବାଚନ ଚିହ୍ନ ଉପରେ ସେମାନଙ୍କର ପୂର୍ଣ୍ଣ ଅଧିକାର ରହିଛି। ଅଜିତ ପାୱାର ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ଦାବି କରି ନିର୍ବାଚନ କମିସନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଦଳ ଛାଡିଥିବା ୯ ଜଣ ମନ୍ତ୍ରୀଙ୍କ ସମେତ ୩୧ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଶରଦ ପାୱାର ଦାବି କରିଥିଲେ। ଉଲ୍ଲେଖଯୋଗ୍ୟ, ଦେଶବ୍ୟାପୀ ଏନ୍ସିପିର ୮୧ ସଦସ୍ୟଙ୍କ ମଧ୍ୟରୁ ଅଜିତ ପାୱାରଙ୍କ ସହ ୫୭ ଜଣ ଅଛନ୍ତି। ଶରଦ ପାୱାର ଗୋଷ୍ଠୀରେ ୨୮ ଜଣ ସଦସ୍ୟ ସାମିଲ ଥିବା ବେଳେ ୬ ଜଣ ସଦସ୍ୟ ଉଭୟ ଗୋଷ୍ଠୀଙ୍କ ସମର୍ଥନରେ ସତ୍ୟପାଠ ଦେଇଥିଲେ।