ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍)କୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ସମର୍ଥନ କରି କହିଛନ୍ତି ଯେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରିବା ପାଇଁ ଏହା ଏକ ସାମ୍ବିଧାନିକ ଦାୟିତ୍ୱ। ମୃତ, ସ୍ଥାନାନ୍ତରିତ କିମ୍ବା ନକଲି ଭୋଟରଙ୍କ ନାମରେ ନକଲି ଭୋଟ୍ ଦେବା ପାଇଁ ବାଟ ଖୋଲିବା ଉଚିତ କି ବୋଲି ଏକ ବିବୃତିରେ ପ୍ରଶ୍ନ କରାଯାଇଛି। ସଂଶୋଧନକୁ ବିରୋଧ କରି ସଂସଦ ଭବନ ପରିସରରେ ବିରୋଧୀ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ଗୃହରେ ଏହା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ବିହାର ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ବଞ୍ଚିତ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି ବୋଲି ଅଭିଯୋଗ କରି ସେମାନେ ତୃତୀୟ ଦିନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହି ‘ଗଣତନ୍ତ୍ର ବଞ୍ଚାଅ’ ଭଳି ସ୍ଲୋଗାନ ଦେଇଥିଲେ। ନିର୍ବାଚନ ଆୟୋଗ କହିଛି ଯେ ସ୍ୱଚ୍ଛ ପ୍ରକ୍ରିୟା ମାଧ୍ୟମରେ ପ୍ରାମାଣିକ ଭୋଟର ତାଲିକା ପ୍ରସ୍ତୁତ କରିବା ‘ନିରପେକ୍ଷ ନିର୍ବାଚନ ଓ ଏକ ସୁଦୃଢ଼ ଗଣତନ୍ତ୍ର ପାଇଁ ଭିତ୍ତିପ୍ରସ୍ତର’। ଏଥିରେ ନାଗରିକମାନଙ୍କୁ ରାଜନୈତିକ ସଂପୃକ୍ତିଠାରୁ ଦୂରକୁ ଯାଇ ସଠିକ୍ ଭୋଟର ତାଲିକାର ଗୁରୁତ୍ୱ ଉପରେ ବିଚାର କରିବାକୁ ଅନୁରୋଧ କରାଯାଇଛି।
ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ୟାପକ ଭୋଟର ହେରଫେର ହେଉଥିବା  ଅଭିଯୋଗ କରିଛନ୍ତି। ‘ଏହା କେବଳ ୫୨ ଲକ୍ଷ ଭୋଟ୍ କିମ୍ବା ବିହାର ବିଷୟରେ ନୁହେଁ। ସେମାନେ ମହାରାଷ୍ଟ୍ରରେ ଠକେଇ କରିଛନ୍ତି। ଆମେ ଅନୁରୋଧ କରିଥିଲୁ ଯେ ନିର୍ବାଚନ ଆୟୋଗ ଆମକୁ ଭୋଟର ତାଲିକା ଦେଖାନ୍ତୁ। ସେମାନେ ଆମକୁ ତାହା ଦେଖାଇ ନ ଥିଲେ। ଆମେ କହିଥିଲୁ, ଆମକୁ ଭିଡିଓ ଦେଖାନ୍ତୁ। ସେମାନେ ନିୟମ ବଦଳାଇଥିଲେ। ସେମାନେ ନିର୍ବାଚନ ଚୋରି କରିଥିଲେ। ଏବେ ମହାରାଷ୍ଟ୍ରରେ ୧୦ ନିୟୁତ ନୂଆ ଭୋଟର ଅଛନ୍ତି’ ବୋଲି ରାହୁଲ କହିଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ କମିସନ ତାଙ୍କ ସୀମା ଅତିକ୍ରମ କରିଛନ୍ତି। ନିର୍ବାଚନ କମିସନଙ୍କ କାମ ଭୋଟ୍ କାଟିବା ନୁହେଁ, ବରଂ ନୂଆ ଭୋଟରଙ୍କୁ ଯୋଡ଼ିବା। ଆଜି ବିହାରରେ ଯାହା ଘଟୁଛି ତାହା ଆସନ୍ତାକାଲି ଉତ୍ତରପ୍ରଦେଶରେ ଘଟିବ।
ବୁଧବାର ନିର୍ବାଚନ କମିସନ କହିଛନ୍ତି ଯେ ବିହାରରେ ଅଗଷ୍ଟ ପହିଲାରେ ଶେଷ ହେବାକୁ ଥିବା ଏସ୍‌ଆଇଆର୍‌ର ପ୍ରଥମ ପର୍ଯ୍ୟାୟରେ ୯୮.୦୧% ଭୋଟରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ମୃତ ଭୋଟର ଓ ୨.୮ ନିୟୁତ ସ୍ଥାୟୀ ସ୍ଥାନାନ୍ତରିତ ଭୋଟରଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ସ୍ଥାନରେ ମୋଟ ୭ ଲକ୍ଷ ଭୋଟର ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ଭୋଟରଙ୍କ ପତ୍ତା ମିଳୁ ନ ଥିବା ଜଣାପଡ଼ିଛି। ସମୁଦାୟ ୭୧.୭ ନିୟୁତ ଭୋଟର ଫର୍ମ ଗ୍ରହଣ କରାଯାଇ ଡିଜିଟାଇଜ୍ କରାଯାଇଛି ବୋଲି କମିସନ କହିଛନ୍ତି।