ନୂଆଦିଲ୍ଲୀ: ନିର୍ବାଚନ କମିସନ(ଇସି)ଙ୍କ ଉପରେ ତୀବ୍ର ଆକ୍ରମଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଜାଲିଆତି ହୋଇଛି ଏବଂ ୭୦ରୁ ୧୦୦ ଆସନରେ ସନ୍ଦେହଜନକ ଭାବେ ହେରଫେର କରାଯାଇଛି। ଦେଶରେ ନିର୍ବାଚନ ବ୍ୟବସ୍ଥାର ମୃତ୍ୟୁ ହୋଇସାରିଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ‘କନ୍ଷ୍ଟିଚ୍ୟୁସନାଲ୍ ଚ୍ୟାଲେଞ୍ଜେସ୍: ପର୍ସପେକ୍ଟିଭ୍ସ ଆଣ୍ଡ ପାଥୱେଜ୍’ ଉପରେ କଂଗ୍ରେସ ଲିଗାଲ୍ ସେଲ୍ର କନକ୍ଲେଭ୍ରେ ଉଦ୍ଘାଟନୀ ସମ୍ଭାଷଣ ଦେଇ ରାହୁଲ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ କିଛି ଭୁଲ୍ ରହିଛି ବୋଲି ସେ ପୂର୍ବରୁ ଏପରିକି ୨୦୧୪ରେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରୁ ସନ୍ଦେହ କରିଥିଲେ। କିନ୍ତୁ ତାଙ୍କ ନିକଟରେ କିଛି ପ୍ରମାଣ ନଥିଲା। କିନ୍ତୁ ଏବେ ତାଙ୍କ ପାଖରେ ଶତ ପ୍ରତିଶତ ପ୍ରମାଣ ରହିଛି। ଯେତେବେଳେ ସେ ଏହା ପ୍ରଘଟ କରିବେ ତାହା ଏକ ପରମାଣୁ ବୋମା ଭଳି ପଡ଼ିବ। ରାହୁଲ କହିଛନ୍ତି, କଂଗ୍ରେସ ପାଖରେ ଏଭଳି ପ୍ରମାଣ ଅଛି ଯାହା ଦେଖାଇଲେ ନିର୍ବାଚନ କମିସନ ଅଦୃଶ୍ୟ ହୋଇଯିବ।
ଦେଶରେ ନିର୍ବାଚନ ବ୍ୟବସ୍ଥା ମୃତ: ରାହୁଲ
୨୦୨୪ ଲୋକସଭା ନିର୍ବାଚନରେ ଜାଲିଆତି ହୋଇଛି
ଦାୟିତ୍ବହୀନ ଅଭିଯୋଗ: କମିସନ
ରାହୁଲ କହିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଖୁବ୍ କମ୍ ସଂଖ୍ୟାଗରିଷ୍ଠତା ସହ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରାୟ ୧୦୦ ଆସନରେ ହେରଫେର କରାଯାଇଛି। ରାହୁଲ କହିଛନ୍ତି, ଆସନ୍ତା କିଛିଦିନ ମଧ୍ୟରେ ଆମେ ଏହା ପ୍ରମାଣ କରିଦେବୁ। ପ୍ରମାଣ ଯୋଗାଡ଼ କରିବାପାଇଁ ୬ ମାସ କାମ କରିବାକୁ ପଡ଼ିଛି ଏବଂ ଜଣାପଡ଼ିଛି ଯେ ୬.୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ପ୍ରାୟ ଦେଢ଼ ଲକ୍ଷ ଭୋଟର ହେଉଛନ୍ତି ନକଲି। ରାହୁଲଙ୍କ ଏଭଳି ଅଭିଯୋଗର ଜବାବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ କମିସନକୁ ସମର୍ଥନ କରିବା ସହ ରାହୁଲଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଆୟୋଗ ଭାରତର ଏକ ସାମ୍ବିଧାନିକ ଅନୁଷ୍ଠାନ ଯାହାର ନିଜର ବିଶ୍ୱସନୀୟତା ରହିଛି। ଏଭଳି ସାମ୍ବିଧାନିକ ଅନୁଷ୍ଠାନ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା ବିରୋଧୀ ଦଳ ନେତାଙ୍କ ପାଇଁ ଶୋଭନୀୟ ନୁହେଁ। ୧୯୭୫ରେ ଜରୁରିକାଳୀନ ପରିସ୍ଥିତି ସମୟରେ ସମ୍ବିଧାନକୁ ହତ୍ୟା କରିଥିବାର ଦାଗ ଏବେ ବି କଂଗ୍ରେସ ଦଳ ବହନ କରୁଛି। ସେମାନଙ୍କ ନେତୃତ୍ୱର ଏଭଳି ଭିତ୍ତିହୀନ ଓ ଅଯଥା ବୟାନ ଅଶୋଭନୀୟ ବୋଲି ଶ୍ରୀ ସିଂହ କହିଛନ୍ତି। ତେଣେ ରାହୁଲ ଗାନ୍ଧୀଙ୍କ ଭୋଟ୍ ଜାଲିଆତି ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିବା ସହ ତାଙ୍କ ଦାବିକୁ ଭିତ୍ତିହୀନ ଓ ଦାୟିତ୍ୱହୀନ ବୋଲି କହିଛି।
ଅରୁଣ ଜେଟ୍ଲିଙ୍କ ବିରୋଧରେ ରାହୁଲଙ୍କ ଅଭିଯୋଗ, କୃଷି ଆଇନ ନେଇ ମୋତେ ଧମକାଇଥିଲେ, କଡ଼ା ଜବାବ ଦେଲେ ଜେଟ୍ଲିଙ୍କ ପୁଅ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲି ଧମକ ଦେଇଥିଲେ। କୃଷି ଆଇନ ହଟାଇବାପାଇଁ ବିରୋଧୀ ଦଳମାନେ ଦାବି କରିବାପରେ ଏହି ପ୍ରସଙ୍ଗରେ ତାଙ୍କୁ ଧମକାଇବା ପାଇଁ ସରକାର ଜେଟ୍ଲିଙ୍କୁ ପଠାଇଥିଲେ ବୋଲି ରାହୁଲ ଅଭିଯୋଗ କରିଛନ୍ତି। ତେବେ ରାହୁଲଙ୍କ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କଡ଼ା ଜବାବ ଦେଇଛନ୍ତି ଅରୁଣ ଜେଟ୍ଲିଙ୍କ ପୁଅ ରୋହନ ଜେଟଲି। ଏକ ଅନଲାଇନ୍ ପୋଷ୍ଟ୍ କରି ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଗଠନର ସଭାପତି ରୋହନ ଜେଟଲି କହିଛନ୍ତି, ବିରୋଧୀଙ୍କୁ ଧମକାଇବା ତାଙ୍କ ବାପାଙ୍କ ସ୍ବଭାବ ନଥିଲା। ବରଂ ସେ ବିରୋଧୀଙ୍କ ସହ ଖୋଲା ଆଲୋଚନା କରିବାପାଇଁ ପସନ୍ଦ କରୁଥିଲେ। ରାହୁଲ ଗାନ୍ଧୀ ଏବେ ଦାବି କରୁଛନ୍ତି ଯେ ମୋ ବାପା ଅରୁଣ ଜେଟଲି ତାଙ୍କୁ କୃଷି ଆଇନ ନେଇ ଧମକ ଦେଇଛନ୍ତି। ତେବେ ମୁଁ ତାଙ୍କୁ ଏହା ମନେ ପକାଇ ଦେବାପାଇଁ ଚାହୁଛି ଯେ ୨୦୧୯ରେ ମୋ ବାପାଙ୍କ ଦେହାନ୍ତ ହୋଇଥିଲା। ୨୦୨୦ରେ କୃଷି ଆଇନ ଆସିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିରୋଧୀଙ୍କ ସ୍ବରକୁ ଦବାଇବା ପାଇଁ ଧମକାଇବା ମୋ ବାପାଙ୍କ ସ୍ବଭାବ ନୁହେଁ ବୋଲି ରୋହନ କହିଛନ୍ତି। ରୋହନ ମଧ୍ୟ ରାହୁଲଙ୍କୁ ଅନୁରୋଧ କରି କହିଛନ୍ତି, ଦିବଂଗତ ନେତାମାନଙ୍କ ସଂକ୍ରାନ୍ତରେ କିଛି ଟିପ୍ପଣୀ ଦେବାବେଳେ ଭଲଭାବେ ଚିନ୍ତା କରିବା ଉଚିତ।