ନିର୍ବାଚନ କମିସନ୍‌ ଇଭିଏମ୍‌କୁ ସୁରକ୍ଷିତ ରଖନ୍ତି କେମିତି

ନୂଆଦିଲ୍ଲୀ : ଗୁରୁବାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଫଳାଫଳ ଆସିବା ପୂର୍ବରୁ ବିରୋଧୀ ଦଳ ଗୁଡ଼ିକ ଯେଭଳି ଇଭିଏମ୍‌ ଜାଲିଆତି ଅଭିଯୋଗ ଆଣିଛନ୍ତି ଏବଂ ଏନେଇ ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି ତାହା ଏବେ ଜାତୀୟ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ୨ଟି୨ ବିରୋଧୀ ଦଳ ଇଭିଏମ୍‌ ଜାଲିଆତି ନେଇ ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ ଇସି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଇଭିଏମ୍‌ ଜାଲିଆତିର ପ୍ରଶ୍ନ ଉଠୁନାହିଁ। କଡ଼ା ସୁରକ୍ଷା ସହ ସମସ୍ତ ଇଭିଏମ୍‌ ସୁରକ୍ଷିତ ଅଛି ବୋଲି କମିସନ କହିଛନ୍ତି। ତେବେ ନିର୍ବାଚନ କମିସନ ଇଭିଏମ୍‌କୁ କିଭଳି ସୁରକ୍ଷିତ ରଖନ୍ତି ଏବଂ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରଠାରୁ ଷ୍ଟ୍ରଙ୍ଗ୍‌ରୁମ୍‌ ପର୍ଯ୍ୟନ୍ତ କିଭଳି ଇଭିଏମ୍‌କୁ ସୁରକ୍ଷା ଦିଆଯାଏ‌ ସେନେଇ କିଛି ଗୁରୁତ୍ବପୂର୍ଣ୍ଣ କଥା ଜାଣି ରଖିବା।

ନିର୍ବାଚନ ପରେ ଇଭିଏମ୍ ମେସିନ୍‌କୁ ଏହାର ବକ୍ସରେ ରଖାଯାଏ। ଏହି ବକ୍ସ ଗୁଡ଼ିକୁ ନିର୍ବା‌ଚନ ଅଧିକାରୀଙ୍କ ଉପସ୍ଥିତିରେ ହିଁ ସିଲ୍‌ କରାଯାଏ।
ଏହାପରେ ମତଦାନ କେନ୍ଦ୍ରଠାରୁ ନିର୍ଦ୍ଦିଷ୍ଟ ଷ୍ଟ୍ରଙ୍ଗ୍‌ରୁମ୍‌ ପର୍ଯ୍ୟନ୍ତ ଇଭିଏମ୍‌ଗୁଡ଼ିକୁ ଅତି ସୁରକ୍ଷିତ ଭାବେ ନିଆଯାଇଥାଏ। ରାଜ୍ୟ ପରିଚାଳିତ ବସ୍‌, ଘରୋଇ ଟ୍ରକ୍‌, ଜିପ୍‌ ଏବଂ ନିର୍ବାଚନ କମିସନ୍‌ଙ୍କ ଦ୍ବାରା ଅଣାଯାଇଥିବା ଅନ୍ୟାନ୍ୟ ସ୍ବତନ୍ତ୍ର ଗାଡ଼ି ତଥା ପୁଲିସ ଗାଡ଼ିରେ ଇଭିଏମ୍‌ ସ୍ଥାନାନ୍ତର କରାଯାଇଥାଏ।
ଇଭିଏମ୍‌ ଏବଂ ଭିଭିପାଟ୍‌ ସ୍ଥାନାନ୍ତର କରୁଥିବା ଏହି ସ୍ବତନ୍ତ୍ର ଗାଡ଼ିରେ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ପୁଲିସର ମିଳିତ ସୁରକ୍ଷା ବାହିନୀ ଉପସ୍ଥିତ ଥାନ୍ତି। ପ୍ରତ୍ୟେକଟି ମତଦାନ କେନ୍ଦ୍ରର ପରିଚାଳନା ଅଧିକାରୀ ମଧ୍ୟ ଏହି ଗାଡ଼ିରେ ଯାଇଥାନ୍ତି।
ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ ମେସିନ୍‌ ପହଞ୍ଚିବାପରେ ଡୋର୍‌ ଲକ୍‌ କରାଯାଏ। ସମସ୍ତ ଦ୍ବାର ଏବଂ ଝରକା ଗୁଡ଼ିକୁ ମଧ୍ୟ ନିର୍ବାଚନରେ ଲଢ଼ିଥିବା ପ୍ରତିଦ୍ବନ୍ଦ୍ବୀ କିମ୍ବା ତାଙ୍କ ଏଜେଣ୍ଟ୍‌ ଓ ନିର୍ବା‌ଚନ ଅଧିକାରୀଙ୍କ ଉପସ୍ଥିତିରେ ବନ୍ଦ କରାଯାଇଥାଏ।
ଇଭିଏମ୍‌ ଏବଂ ଭିଭିପାଟ୍‌ଗୁଡ଼ିକର ସୁରକ୍ଷିତ ସ୍ଥା‌ନାନ୍ତର ପାଇଁ ମଧ୍ୟ ଏବେ ନିର୍ବାଚନ କମିସନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛନ୍ତି।
ଏରିଏଲ୍‌ ଯାଞ୍ଚ୍‌ ପାଇଁ ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଏ। ପରିବହନରେ ନିୟୋଜିତ ଗାଡ଼ି ଗୁଡ଼ିକରେ ମଧ୍ୟ ଜିପିଏସ୍‌ ଏବଂ ଜିଆଇଏସ୍‌ ବ୍ୟବସ୍ଥା ହୋଇଥାଏ। ଏହାଦ୍ବାରା ଇଭିଏମ୍‌ର ସ୍ଥାନାନ୍ତର ପ୍ରକ୍ରିୟା ସଠିକ୍‌ ଭା‌ବେ ଟ୍ରାକ୍‌ କରିହୁଏ।
ଇଭିଏମ୍‌ରେ ଦୁଇଟି ୟୁନିଟ୍‌ ଥାଏ। ଗୋଟିଏ କଣ୍ଟ୍ରୋଲ ୟୁନିଟ୍‌ ଏବଂ ଅନ୍ୟଟି ବାଲଟିଙ୍ଗ ୟୁନିଟ୍‌।
ନିର୍ବାଚନ ପରେ ଇଭିଏମ୍‌ ଏବଂ ଭିଭିପାଟ୍‌ ସ୍ଥାନାନ୍ତର ପାଇଁ ପ୍ରତି ମୁଖ୍ୟାଳୟରେ ଏବଂ ନିର୍ଦ୍ଧାରିତ କେନ୍ଦ୍ରରେ ଅତି ବେଶୀରେ ୩୩ଟି ଷ୍ଟ୍ରଙ୍ଗ୍‌ରୁମ୍‌ ଥାଏ।
ତେବେ ଷ୍ଟ୍ରଙ୍ଗରୁମ୍‌ରେ କେତେ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଥାନ୍ତି ତାହା ସ୍ପଷ୍ଟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର