ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ଏକ ଆଜି ବିହାର ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା(ଏସ୍‌ଆଇଆର୍‌) ଉପରେ ଶୁଣାଣି ସମୟରେ  ନିର୍ବାଚନ କମିସନ ଏକ ଦୃଢ଼ ବୟାନ ରଖି ଅଭିଯୋଗ କରିଛନ୍ତି ଯେ କେତେକ ରାଜନୈତିକ ଦଳ ଏବଂ ସଂସ୍ଥା  ଆୟୋଗର  ପ୍ରୟାସକୁ ନେଇ ବିଭ୍ରାନ୍ତିକର ମତ ରଖୁଛନ୍ତି। ସେମାନେ ଏଭଳି ମତକୁ ଦୋହରାଇ ଏଥିରୁ ଫାଇଦା ନେବାକୁ ଆଖ୍ୟାନ ସୃଷ୍ଟି କରିବାକୁ ଚାହୁଛନ୍ତି। ଏଭଳି ଦଳ ଓ ଗୋଷ୍ଠୀ ନିର୍ବାଚନ କମିସନଙ୍କୁ ସହଯୋଗ କରିବା ପରିବର୍ତ୍ତେ ଜନସାଧାରଣଙ୍କୁ ବିଭ୍ରାନ୍ତିର ଶିକାର କରାଇବାକୁ ଚେଷ୍ଟା କରୁଛନ୍ତି ବୋଲି  କମିସନଙ୍କ ପକ୍ଷରୁ କୁହାଯାଇଛି । ‘ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା  ସୁନିଶ୍ଚିତ କରିବାରେ ଆମକୁ ସାହାଯ୍ୟ କରିବା ବଦଳରେ କିଛି ଦଳ ଓ ଗୋଷ୍ଠୀ ଯେଉଁ ମନଗଢ଼ା କାହାଣୀ ସୃଷ୍ଟି କରୁଛନ୍ତି ତାହାକୁ ନେଇ ସମସ୍ୟା ଉପୁଜୁଛି’ ବୋଲି କମିସନ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଆବେଦନକାରୀମାନେ ଯୁକ୍ତି କରିଛନ୍ତି ଯେ  ନିର୍ବାଚନ କମିସନଙ୍କ ସଂଶୋଧନ  ପ୍ରକ୍ରିୟାରେ ପର୍ଯ୍ୟାପ୍ତ ତ୍ରୁଟି ରହିଛି ଏବଂ ଏହା ଭୋଟରଙ୍କୁ ଅତ୍ୟନ୍ତ ବେପରୁଆ ଭାବେ ବାଦ୍‌ ଦେଉଛି। ଏଭଳି ସ୍ଥିତି ରାଜ୍ୟରେ ମୁକ୍ତ ଓ ନିରପେକ୍ଷ ଭୋଟ୍‌ କରାଇବାରେ ସକ୍ଷମ ହେବନାହିଁ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଭୋଟରଙ୍କୁ ବାଦ୍ ଦେବା  ଅଭିଯୋଗକୁ ଖଣ୍ଡନ କରି ନିର୍ବାଚନ କମିସନ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା ବିଭିନ୍ନ ପ୍ଲାଟଫର୍ମରେ ତାଲିକାରୁ ହଟାଇ ଦିଆଯାଇଥିବା ନାମର ତାଲିକା ପ୍ରକାଶ କରିଛି ଏବଂ ପ୍ରଭାବିତ ସମସ୍ତଙ୍କ ପାଖରେ ଯାଞ୍ଚ ଏବଂ ଆବେଦନ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଅଛି। ନିର୍ବାଚନ କମିସନଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି,  ପ୍ରତ୍ୟେକ ବାଦ୍‌ ପଡ଼ିଥିବା ଭୋଟରଙ୍କ ବାବଦରେ କମିସନ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।  ଆଜି ଶୁଣାଣିରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କମିସନ ପ୍ରତ୍ୟେକଟି ମାମଲାରେ କାରଣ ଉପସ୍ଥାପନ କରିଛନ୍ତି ଏବଂ  ଆବେଦନ କରିବା ପାଇଁ ଲୋକଙ୍କ ପାଖରେ ଏବେ ବି ସମୟ ଅଛି। କୋର୍ଟ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତ୍ୟେକ ଗ୍ରାମରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ) ତାଲିକା ଏବଂ ଆବେଦନ ଦାଖଲ କରିବାରେ ସାହାଯ୍ୟ କରିବା ପାଇଁ ନିଯୁକ୍ତ ପାରା-ଲିଗାଲ୍ ସ୍ୱେଚ୍ଛାସେବୀଙ୍କ ଯୋଗାଯୋଗ ବିବରଣୀ ପ୍ରଦର୍ଶନ କରାଯିବା ଉଚିତ।