ନୂଆଦିଲ୍ଲୀ: ନିର୍ବାଚନ ସମୟରେ ପ୍ରତି ବୁଥ୍ର ମତଦାନ ତଥ୍ୟ ପ୍ରକାଶ କରିବା ଅନର୍ଥକାରୀ ହେବ। ଏକ ବିଶାଳ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଭିନ୍ନ ଭୌଗଳିକ ଓ ତୀବ୍ର ମୁକାବିଲାତ୍ମକ ସ୍ଥିତିରେ ମତଦାନ ହେଉଥିବା ବେଳେ ପ୍ରତି ବୁଥ୍ର ଭୋଟ୍ ତଥ୍ୟ ପ୍ରକାଶ କରିବାର କୌଣସି ଆଇନଗତ ଆବଶ୍ୟକତା ନାହିଁ। ଏହା ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ ଏବଂ ଗୋପନୀୟତା ସହ ବୁଝାମଣା କରିପାରେ ବୋଲି ନିର୍ବାଚନ କମିସନ ଏକ ସତ୍ୟପାଠ ମାଧ୍ୟମରେ ଆଜି ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି। ସମସ୍ତ ମତଦାନ କେନ୍ଦ୍ରରେ ଚୂଡ଼ାନ୍ତ ପ୍ରମାଣିତ ମତଦାନ ତଥ୍ୟ ପ୍ରକାଶ ସାଂପ୍ରତିକ ନିର୍ବାଚନ ପରିପ୍ରେକ୍ଷୀରେ ଅନାବଶ୍ୟକ ବୋଲି କମିସନ ସ୍ପଷ୍ଟ କରିଛନ୍ତି। ସତ୍ୟପାଠରେ ନିର୍ବାଚନ କମିସନ ଦର୍ଶାଇଛନ୍ତି ଯେ ପୋଷ୍ଟାଲ ବ୍ୟାଲଟ ଗଣନା ସମେତ ଫର୍ମ-୧୭ସି ଆଧାରରେ ମତଦାନ ସଂକ୍ରାନ୍ତ ସବୁ ତଥ୍ୟ ପ୍ରକାଶ କଲେ ଭୋଟରଙ୍କ ମଧ୍ୟରେ ଦ୍ବନ୍ଦ୍ବ ଓ ବିଭ୍ରାନ୍ତି ବଢ଼ିବ।
ନିର୍ବାଚନ କମିସନ ଯୁକ୍ତି ବାଢ଼ିଛନ୍ତି ଯେ ତୀବ୍ର ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତାରେ ଏଭଳି ତଥ୍ୟ ପ୍ରକାଶ ମୋଟ ଭୋଟ୍ ବିଷୟରେ ଭୁଲ ବୁଝାମଣା ସୃଷ୍ଟି କରିପାରେ। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ସ୍ଥିତିରେ ଏହା କେବଳ ଦ୍ବନ୍ଦ୍ବ ବଢ଼ାଇବା ଛଡ଼ା ଅନ୍ୟ ସୁଫଳ ମିଳିବ ନାହିଁ। ନିର୍ବାଚନ କମିସନ ସତର୍କ କରାଇ ଦେଇଛନ୍ତି ଯେ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି କରିବା ଏବଂ ନିର୍ବାଚନ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏହି ଦ୍ୱନ୍ଦ୍ୱର ଫାଇଦା ଉଠାଇବେ। ୨୦୨୪ ଲୋକସଭା ନିର୍ବାଚନରେ ଭୋଟ୍ ସଂଖ୍ୟା ସମେତ ଚୂଡ଼ାନ୍ତ ପ୍ରମାଣିତ ମତଦାନ ତଥ୍ୟ ମତଦାନର ୪୮ ଘଣ୍ଟା ମଧ୍ୟରେ ପ୍ରକାଶ କରିବାକୁ ଏନ୍ଜିଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ କରାଯାଇଥିବା ଆବେଦନର ଜବାବରେ ଏହି ସତ୍ୟପାଠ ଦାଖଲ କରାଯାଇଛି।
ନିର୍ବାଚନ କମିସନ ଯୁକ୍ତି ବାଢ଼ିଛନ୍ତି ଯେ ଏଡିଆର୍ ଏକ ଆଇନଗତ ଅଧିକାର ଦାବି କରିଛି ଯାହାକି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ସତ୍ୟପାଠରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ସୁପ୍ରିମ୍କୋର୍ଟ ନିକଟରେ ଦେଇଥିବା ରାୟକୁ ଉଲ୍ଲେଖ କରାଯାଇଛି, ଯେଉଁଥିରେ ଏଡିଆର୍ ବିରୋଧରେ କଠୋରତା ଉପରେ ଆଲୋକପାତ କରାଯାଇଛି ଏବଂ ସଂଗଠନ ଉପରେ ସନ୍ଦେହ ଓ ଭୁଲ ସୂଚନା ପ୍ରସାରଣ କରୁଥିବା ଅଭିଯୋଗ କରାଯାଇଛି। ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ନିର୍ବାଚନ କମିସନ ଘୋଷଣା କରିଥିବା ଚୂଡ଼ାନ୍ତ ମତଦାନ ହାରରେ ବୃଦ୍ଧିକୁ ନେଇ ଏଡିଆର୍ ପକ୍ଷରୁ କରାଯାଇଥିବା ଆବେଦନରେ ଉଦ୍ବେଗ ପ୍ରକାଶ କରାଯାଇଛି। ପ୍ରତି ପର୍ଯ୍ୟାୟ ମତଦାନ ପରେ ରେକର୍ଡ ହୋଇଥିବା ଭୋଟର୍ ହିସାବର ବୈଧ କପି, ନିର୍ବାଚନ ମଣ୍ଡଳୀ ଓ ମତଦାନ କେନ୍ଦ୍ରଭିତ୍ତିକ ସବୁ ତଥ୍ୟକୁ ସଂଖ୍ୟା ଓ ପ୍ରତିଶତ ଆକାରରେ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାପାଇଁ ଏଡିଆର୍ ଆବେଦନରେ ଦର୍ଶାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/supreme-court-fff.jpg)