ସବୁ ସରକାର ଅମଳରେ ନିର୍ବାଚନ କମିସନଙ୍କ କ୍ଷମତା କ୍ଷୁଣ୍ଣ ହୋଇଛି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଭାରତରେ ସବୁ ସରକାର ସମୟରେ ନିର୍ବାଚନ କମିସନ(ଇସି)ଙ୍କ ସ୍ବାଧୀନତା ସଂକୁଚିତ ହୋଇଛି। ୧୯୯୬ ମସିହା ପରଠାରୁ ଜଣେ ବି ମୁଖ୍ୟ ନିର୍ବାଚନ କମିସନର ୬ ବର୍ଷର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାନ୍ତି। ଇସି ନିଯୁକ୍ତି ପାଇଁ ସମ୍ବିଧାନରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ଏଭଳି ସ୍ଥିତିରେ ନିର୍ବାଚନ କମିସନ ପୂର୍ଣ୍ଣ ସ୍ବାଧୀନତାର ସହ କାର୍ଯ୍ୟ କରିବାରେ ସକ୍ଷମ ହେଉନାହିଁ ବୋଲି ଆଜି ସୁପ୍ରିମକୋର୍ଟର ଏକ ସମ୍ବିଧାନ ପୀଠ କହିଛନ୍ତି।
ବିଚାରପତି କେଏମ୍‌ ଯୋଶେଫ୍‌ଙ୍କ ନେତୃତ୍ବାଧୀନ ୫ ଜଣିଆ ସମ୍ବିଧାନ ପୀଠ ଆଜି ଏସଂକ୍ରାନ୍ତ ଏକ ଶୁଣାଣି କରି କହିଛନ୍ତି, କେଉଁ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯିବ ‌ସେ ନେଇ ସମ୍ବିଧାନ ନିରବ। ଏଭଳି ସ୍ଥିତିର ଫାଇଦା ସବୁ ରାଜନୈତିକ ଦଳ ନେଉଛନ୍ତି ଏବଂ ସବୁ ସରକାର ସମୟରେ ନିର୍ବାଚନ କମିସନଙ୍କ ସ୍ବାଧୀନତା କ୍ଷୁଣ୍ଣ ହୋଇଛି। ୧୯୯୦ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଟିଏନ୍‌ ଶେଷାନଙ୍କ କାର୍ଯ୍ୟକାଳ ପରେ ଆଉ କେହି ପୂର୍ଣ୍ଣ ସମୟ ରହିନାହାନ୍ତି। ସରକାର ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦେବା ସମୟରେ ମୁଖ୍ୟ ନିର୍ବାଚନ କମିସନରଙ୍କ ଜନ୍ମ ତାରିଖ ସଂପର୍କରେ ଠିକ୍‌ ଅବଗତ ଥା’ନ୍ତି। ନିଯୁକ୍ତି ସମୟରେ ତାହାକୁ ଜାଣିଶୁଣି ଧ୍ୟାନ ଦେଇ ନଥାନ୍ତି। ଏହି ଧାରା ଉଭୟ ୟୁପିଏ ଏବଂ ବର୍ତ୍ତମାନର ସରକାର ଅମଳରେ ଜାରି ରହିଛି ବୋଲି ସମ୍ବିଧାନ ପୀଠ କହିଛନ୍ତି।

ସମ୍ବନ୍ଧିତ ଖବର