୨୦୦୪ ସୁପ୍ରିମ୍‌ କୋର୍ଟ ରାୟ ଆଧାରରେ ନୋଟିସ୍‌:ନିର୍ବାଚନ କମିସନ ବନାମ ବିଜେପି

ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣାକ୍ରମରେ ନିର୍ବାଚନ କମିସନ ୨୦୦୪ର ସୁପ୍ରିମ୍‌ କୋର୍ଟ ରାୟକୁ ଆଧାର କରି ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ବିଜ୍ଞାପନକୁ ନେଇ ମଧ୍ୟପ୍ରଦେଶ ବିଜେପିକୁ ନୋଟିସ୍‌ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଜଣେ ମହିଳା ପୁଲିସ କର୍ମୀ ବିଜେପି ସରକାରକୁ ପ୍ରଶଂସା କରୁଥିବା ବିଜ୍ଞାପନକୁ ନେଇ କଂଗ୍ରେସର ବିରୋଧ ପରେ ନିର୍ବାଚନ କମିସନ ଏଭଳି ପଦକ୍ଷେପ ନେଇଛନ୍ତି। ୨୦୦୪ରେ ସୁପ୍ରିମ୍‌ କୋର୍ଟ ବିଭାଜନକାରୀ ରାଜନୈତିକ ବିଜ୍ଞାପନରେ ଅଙ୍କୁଶ ଲଗାଇବା ଉପରେ ଗୁରୁତ୍ୱ ଦେଇଥିଲେ। ତେବେ ବିଜେପି ଏହି ନୋଟିସ୍‌କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ନିର୍ବାଚନ କମିସନଙ୍କ ଦାୟିତ୍ୱ ଏବଂ ଏ ସଂକ୍ରାନ୍ତ ଅଧିକାର ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି। ଏହା ସିଧାସଳଖ ସାଧାରଣ ରାଜନୈତିକ ବ୍ୟାପାରରେ ହସ୍ତକ୍ଷେପ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।
ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ରାଜ୍ୟ ସରକାରମାନେ ବିପୁଳ ଅର୍ଥ ବ୍ୟୟ କରି ବିଜ୍ଞାପନ ଦେଉଥିବାରୁ ଏହାକୁ ନେଇ ମଧ୍ୟ ବିବାଦ ବଢ଼ିବାରେ ଲାଗିଛି। ଏଥିରେ ତୁରନ୍ତ ଅଙ୍କୁଶ ଲଗାଇବା ଜରୁରୀ ବୋଲି କଂଗ୍ରେସ ଦାବି କରିଛି। ଏ ବାବଦରେ କଂଗ୍ରେସ ନିର୍ବାଚନ କମିସନଙ୍କୁ ଲିଖିତ ଆବେଦନ କରିବା ସହ ଲୋକଙ୍କ ଅର୍ଥର ଏଭଳି ଅପଚୟକୁ ରୋକିବା ପାଇଁ ନିର୍ଦ୍ଦେଶାନାମା ଜାରି କରିବାକୁ ଦୃଢ଼ ଯୁକ୍ତି ଦର୍ଶାଇଛି। ତେଲେଙ୍ଗାନାରେ କାମଚଳା ମୁଖ୍ୟମନ୍ତ୍ରଙ୍କ ଫଟୋ ଥାଇ ବିଜ୍ଞାପନ ପ୍ରକାଶ ପାଇବା ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିଛି। ତେବେ ପ୍ରଚଳିତ ବିଜ୍ଞାପନ ନୀତିର ସମୀକ୍ଷା କରାଯିବା ପରେ ହିଁ କୌଣସି ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିସନ କହିଛନ୍ତି।

ସମ୍ବନ୍ଧିତ ଖବର