ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଲେ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ ଭାରତର ନିର୍ବାଚନ କମିଶନ ବହୁପ୍ରତୀକ୍ଷିତ ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଥିରେ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ସଂପର୍କିତ ବିସ୍ତୃତ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା । ତାଙ୍କର ଘୋଷଣା ଅନୁଯାୟୀ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯିବ। ଅକ୍ଟୋବର ୨୪ ତାରିଖରେ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ ଗଣତି ହେବ।

ମହାରାଷ୍ଟ୍ରରେ ୮.୯କୋଟି ମତଦାତା ଥିବା ବେଳେ ହରିୟାଣାରେ ୧.୨୮ କୋଟି ମତଦାତା ଅଛନ୍ତି। ସେହି ସମୟରେ ହରିୟାଣାରେ ୧.୦୩ ଲକ୍ଷ ବାଲାଟ୍ ୟୁନିଟ୍ ରହିଛି ଓ ମହାରାଷ୍ଟ୍ରରେ ୧.୮ଲକ୍ଷ ବାଲାଟ୍ ୟୁନିଟ ରହିଛି। ଏହା ସହ ଏଠାରେ ୧.୨୮ଲକ୍ଷ ସିୟୁ ଓ ୧.୩୯ ଲକ୍ଷ ଭିଭିପାଟ୍ ମେସିନ୍ ଅଛି। ତେବେ ନିର୍ବାଚନୀ ପ୍ରଚାରର ଅଧିକତମ ୨୮ଲକ୍ଷ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ଉଭୟ ରାଜ୍ୟ ପାଇଁ ଲାଗୁ ହେବ ବୋଲି କୁହାଯାଇଛି।

photo-the newindian express

ସେହି ସମୟରେ ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ଖର୍ଚ୍ଚ କରୁଥିବା ଅର୍ଥର ହିସାବ ୩୦ ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ଏହା ସହ ପ୍ରାର୍ଥୀଙ୍କୁ ଅପରାଧିକ ରେକର୍ଡ ଦେବାକୁ ପଡିବ।  ପ୍ରାର୍ଥୀମାନଙ୍କୁ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ଜମା କରିବାକୁ ପଡିବ। ନିର୍ବାଚନ ପ୍ରଚାର ସମୟରେ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ମଧ୍ୟ ନିର୍ବାଚନ ଆୟୋଗ ନିବେଦନ କରିଛନ୍ତି।

ଏହାଛଡ଼ା ଅରୁଣାଚଳପ୍ରଦେଶ, ବିହାର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜୁରାଟ, ଆସାମ, ଓଡିଶା ଆଦି ରାଜ୍ୟରେ ୬୪ଟି ଆସନରେ ଉପନିର୍ବାଚନ ହେବ ବୋଲି  ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଆଗାମୀ ନଭେମ୍ବର୨ତାରିଖରେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ସରୁଛି ଏବଂ ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ମହାରାଷ୍ଟ୍ରରେ ବିଧାୟକଙ୍କ ସଂଖ୍ୟା ୨୮୮ ଥିବା ବେଳେ ହରିୟାଣାରେ ବିଧାୟକଙ୍କ ସଂଖ୍ୟା ୯୦।

ସମ୍ବନ୍ଧିତ ଖବର