ନୂଆଦିଲ୍ଲୀ: ହରିୟାଣା ଓ ଜମ୍ମୁ ଓ କଶ୍ମୀର ନିର୍ବାଚନ ପରେ ଏବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଭୋଟ ଗ୍ରହଣ ହେବ ଓ ନଭେମ୍ବର ୨୩ରେ ଗଣତି ହେବ । ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ ଓ ନଭେମ୍ବର ୨୩ରେ ଗଣତି ହେବ । ଏହି ନିର୍ବାଚନ ପାଇଁ ଅକ୍ଟୋବର ୨୨ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନପତ୍ର ଦାଖଲର ଶେଷ ତାରିଖ ହେଉଛି ୨୯ ଅକ୍ଟୋବର ।

Advertisment

ମହାରାଷ୍ଟ୍ରରେ ୫୨,୭୮୯ଟି ସ୍ଥାନରେ ୧୦୦୧୮୬ଟି ମତଦାନ କେନ୍ଦ୍ର ରହିଛି । ରାଜ୍ୟର ମୋଟ ଆସନ ସଂଖ୍ୟା ୨୮୮ ଥିବାବେଳେ ମୋଟ ଭୋଟର ସଂଖ୍ୟା ୯.୬୩ କୋଟି  ରହିଛି । ସେହିପରି ଝାଡ଼ଖଣ୍ଡରେ ୮୧ ଟି ଆସନ ଥିବାବେଳେ ମୋଟ ୨.୬ କୋଟି ଭୋଟର  ଅଛନନ୍ତି ।  ୧୧.୮ ଲକ୍ଷ ପ୍ରଥମ ଥର ଭୋଟର ଅଛନ୍ତି । ରାଜ୍ୟର ୨୦୨୮୧ ଟି ସ୍ଥାନରେ ୨୯୫୬୨ ଟି ମତଦାନ କେନ୍ଦ୍ର ରହିଛି ।

ସେପ୍ଟେମ୍ବରରେ ସମାପ୍ତ ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ନିର୍ବାଚନ କୌଣସି ହିଂସା ବିନା ଶେଷ ହୋଇଛି  ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି । ସେ କହିଛନ୍ତି, ଭାରତ ପ୍ରତ୍ୟେକ ନିର୍ବାଚନରେ ଏକ ନୂଆ ମାନଦଣ୍ଡ ସ୍ଥାପିତ କରୁଛି। ଜମ୍ମୁ-କଶ୍ମୀର ଓ ହରିୟାଣାରେ ଗୋଟିଏ ବି ଲାଠି ମାଡ଼ ହୋଇନାହିଁ, ଗୋଟିଏ ବି ଗୁଳି ମାଡ଼ ହୋଇନାହିଁ। ଆମେ ସମସ୍ତେ ଏହାର ସାକ୍ଷୀ । ଏହି ଦୁଇ ରାଜ୍ୟରେ ମତଦାନରେ କୌଣସି ହିଂସା କାଣ୍ଡ ଘଟିନାହିଁ। ନିର୍ବାଚନ ପରେ ନିର୍ବାଚନ ହିଂସା କମିବାରେ ଲାଗିଛି। ଏଥିରୁ ସ୍ପଷ୍ଟ ବାର୍ତ୍ତା ମିଳୁଛି ଯେ ଭୋଟରମାନେ ଏବେ ନିର୍ବାଚନୀ ଉତ୍ସବରେ ଭାଗ ନେଉଛନ୍ତି।