ଏଥର ରେକର୍ଡ କରିବ ନିର୍ବା‌ଚନ ଖର୍ଚ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ଭାରତୀୟ ଇତିହାସରେ ସବୁଠାରୁ ଖର୍ଚବହୁଳ ନିର୍ବାଚନ ହେବାକୁ ଯାଉଛି। ବିଶ୍ବର କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଖର୍ଚରେ ଏଥର ରେକର୍ଡ ଭାଙ୍ଗିବ ଭାରତ। ଏପରିକି ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନରେ ମଧ୍ୟ ଏତେ ଖର୍ଚ ହୋଇ ନଥିବ। ଗତ ୨୦୧୪ ନିର୍ବାଚନ ଖର୍ଚକୁ ଦୃଷ୍ଟିରେ ରଖି ଅନେକ ବିଶେଷଜ୍ଞମାନେ ଏଭଳି ପୂର୍ବାନୁମାନ କରିଛନ୍ତି। କାରଣ ୨୦୧୪ ନିର୍ବାଚନରେ ଯେତେ ଖର୍ଚ ହୋଇଥିଲା ତାହା ପୂର୍ବରୁ ହୋଇଥିିବା ସମସ୍ତ ନିର୍ବାଚନ ଖର୍ଚର ୪ ଭାଗର ତିନି ଭାଗ ଥିଲା। ଏଥର ଭୋଟରଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବାରୁ ଏଭଳି ଖର୍ଚ ବୃଦ୍ଧି ପାଇବା ସ୍ବାଭାବିକ।
୧୯୫୧-୫୨ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଖର୍ଚ ହୋଇଥିଲା ୧୦ କୋଟି ଟଙ୍କା। ତେବେ ସବୁଠାରୁ କମ୍ ଖର୍ଚ ହୋଇଥିଲା ୧୯୫୭ ନିର୍ବାଚନରେ। ଖର୍ଚ ପରିମାଣ ଥିଲା ୫ କୋଟି ୯୦ ଲକ୍ଷ ଟଙ୍କା। ଏହା ପରଠାରୁ ଖର୍ଚ ପରିମାଣ ବଢ଼ି ବଢ଼ି ଚାଲିଥିଲା। ୧୯୮୦ରେ ୫୪ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ୧୯୮୯ରେ ୧୫୪ କୋଟି, ୧୯୯୧ରେ ୩୫୯ କୋଟି, ୧୯୯୬ରେ ୫୯୭ କୋଟି, ୨୦୦୪ରେ ଏହି ପରିମାଣ ୧ ହଜାର ୧୬ କୋଟିରେ ଯାଇ ପହଂଚିଥିଲା। ୨୦୦୯ରେ ୧୧୧୪ କୋଟି ଟଙ୍କା ଖର୍ଚ ହୋଇଥିବା ବେଳେ ୨୦୧୪ ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ଖର୍ଚ ହୋଇଥିଲା ୩୮୭୦ କୋଟି ୩୫ ଲକ୍ଷ ଟଙ୍କା। ପୂର୍ବ ନିର୍ବାଚନ ତୁଳନାରେ ଏହା ଥିଲା ସାଢ଼େ ତିନି ଗୁଣ ଅଧିକ।
ଭୋଟ ଗ୍ରହଣ କେନ୍ଦ୍ର, ଭୋଟିଂ ମେସିନ୍, ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ, ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଫୋନ ବ୍ୟବସ୍ଥା ଏବଂ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପିଛା ହେଉଥିବା ଖର୍ଚକୁ ନେଇ ଏହି ହିସାବ କରାଯାଇଥାଏ।
ସେହିଭଳି ଭୋଟର ପିଛା ୧୯୫୭ରେ ସର୍ବନିମ୍ନ ୩୦ ପଇସା ଖର୍ଚ ହୋଇଥିବା ବେଳେ ୧୯୮୦ରେ ୧ ଟଙ୍କା ୫୪ ପଇସା, ୧୯୯୬ରେ ୧୦ ଟଙ୍କା ୮ ପଇସା, ୨୦୦୯ରେ ୧୫ ଟଙ୍କା ୫୪ ପଇସା ଏବଂ ୨୦୧୪ରେ ଏହି ଖର୍ଚ ୪୬ ଟଙ୍କା ୪୦ ପଇସାରେ ଯାଇ ପହଂଚିଥିଲା।
ଭୋଟର ସଂଖ୍ୟା ବଢ଼ୁଥିବାରୁ ଖର୍ଚ ମଧ୍ୟ ବଢ଼ୁଛି। ୧୯୫୧-୫୨ ନିର୍ବାଚନରେ ୧୭ କୋଟି ୩୨ ଲକ୍ଷ ଭୋଟର ଥିବା ବେଳେ ୧୯୬୭ରେ ୨୫ କୋଟି, ୧୯୯୧ରେ ୫୧ କୋଟି ୧୫ ଲକ୍ଷ, ୨୦୦୯ରେ ୭୧ କୋଟି ୭୦ ଲକ୍ଷ ଏବଂ ୨୦୧୪ରେ ‌େଭାଟରଙ୍କ ସଂଖ୍ୟା ଥିଲା ୮୩ କୋଟି ୧୪ ଲକ୍ଷ। ଚଳିତ ନିର୍ବାଚନ (୨୦୧୯)ରେ ଏହି ସଂଖ୍ୟା ୯୦ କୋଟି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର