ସ୍ପଷ୍ଟ କଲେ ନଡ୍ଡା, ଜୟରାମ ଠାକୁରଙ୍କ ନେତୃତ୍ୱରେ ହିଁ ଲଢାଯିବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ, ସେନେଇ ନାନା କଳ୍ପନାଜଳ୍ପନା ଚାଲିଥିବାବେଳେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ ଚେହେରା ବାବଦରେ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବଦଳିବେ ନାହିଁ କିମ୍ବା କୌଣସି ମନ୍ତ୍ରୀ ବଦଳିବେ ନାହିଁ। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୨୫ ରୁ ୩୦ ମଧ୍ୟରେ ଏକ ଲକ୍ଷରୁ ଅଧିକ ଯୁବକଙ୍କୁ ନେଇ ଏକ ରାଲି ହେବ |

ଶିମଲାର ପିଟରହୋଫରେ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ନଡ୍ଡା କହିଛନ୍ତି ଯେ ସଂଗଠନ କଥା କହିବାକୁ ଗଲେ ହିମାଚଳପ୍ରଦେଶରେ ସରକାର ଏବଂ ସଂଗଠନ ମଧ୍ୟରେ ଭଲ ସମନ୍ୱୟ ରହିଛି | ସେହିପରି ମହାସମ୍ପର୍କ ଅଭିଯାନ ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସରକାରୀ ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।

ସୂଚନା ଥାଉ କି କିଛି ଦିନ ତଳେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଦାବି କରିଥିଲେ ଯେ ହିମାଚଳ ପ୍ରଦେଶରେ ବିଜେପି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ। ମନୀଷ ସିସୋଡିଆ କହିଥିଲେ ଯେ ରାଜ୍ୟରେ ତାଙ୍କର(ଜୟରାମ ଠାକୁର) ଲୋକପ୍ରିୟତା ହ୍ରାସ ପାଇଛି, ଯାହାକୁ ନେଇ ବିଜେପି ଏଭଳି ପଦକ୍ଷେପ ନେଇପାରେ। ଦିନକୁ ଦିନ ଲୋକପ୍ରିୟତା ହ୍ରାସ ହେଉଥିବାରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଚେହେରା ଭାବରେ ବିଜେପି ଅନୁରାଗ ଠାକୁରଙ୍କୁ ସାମ୍ନାକୁ ଆଣିପାରେ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର