ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ ଆଗରେ: ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ରାସ୍ତା ଏତେ ସୁଗମ ନୁହେଁ

ଲଣ୍ଡନ: ଦଳ ଭିତରେ ବିରୋଧ ଦେଖାଯିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କୁ ଅନିଚ୍ଛା ସତ୍ତ୍ବେ ଇସ୍ତଫା ଦେବାକୁ ପଡ଼ିଲା। ତାଙ୍କ ପରେ କଞ୍ଜର୍ଭେଟିଭ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ। କିନ୍ତୁ ଏହି ଦୌଡ଼ିରେ ଅହୁରି ୧୦ ନେତା ଅଛନ୍ତି ଏବଂ ୧୦ ଡାଉନିଂ ଷ୍ଟ୍ରିଟ୍‌କୁ ରାସ୍ତା ଏତେ ସୁଗମ ନୁହେଁ। ଦଳର ନେତୃତ୍ବ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ଏବେ ଜୋରସୋରରେ ଚାଲିଛି। ମୋଟ ୧୧ ଜଣ ଦୌଡ଼ରେ ଥିବା ବେଳେ ସଂଖ୍ୟାଖେଳରେ ସମସ୍ତେ ଜିତିପାରିବେ ନାହିଁ। କିନ୍ତୁ କିଏ ନୂଆ ପ୍ରଧାନମନ୍ତ୍ରୀ ହେବ ତାହା ସେପ୍ଟେମ୍ବର ୫ରେ ଘୋଷଣା କରାଯିବ। ଟୋରି ପାର୍ଟିର ଯିଏ ନେତା ହେବ ସେ ହିଁ ପ୍ରଧାନମନ୍ତ୍ରୀ ହେବ। ଆସନ୍ତା ସାଧାରଣ ନିର୍ବାଚନ ତାଙ୍କରି ନେତୃତ୍ବରେ ପରିଚାଳିତ ହେବ।

ଜୁଲାଇ ୧୧ରେ ହୋଇଥିବା ଘୋଷଣା ଅନୁସାରେ ଜୁଲାଇ ୧୨ ଦିନ ୧୨ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ (ବ୍ରିଟିସ ସମୟ) ନାମାଙ୍କନପତ୍ର ଦାଖଲ କରାଯିବ। ନାମାଙ୍କନପତ୍ର ଦାଖଲ କରିବା ପାଇଁ ୨୦ ଜଣ ଏମ୍‌ପିଙ୍କ ସମର୍ଥନ ଦରକାର। ଆଗରୁ ଏହି ସଂଖ୍ୟା ୮ ଥିଲା। ପ୍ରଚାରରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୩୦୦,୦୦୦ ପାଉଣ୍ଡ ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ଅନୁମତି ଅଛି। ପ୍ରଥମ ପର୍ଯ୍ୟାୟ ଭୋଟ ମଙ୍ଗଳବାର ହେବ ଏବଂ ଯେଉଁମାନେ ୩୦ରୁ କମ୍ ଭୋଟ ପାଇବେ ଗୁରୁବାର ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଭୋଟରେ ଭାଗ ନେଇପାରିବେ ନାହିଁ। ଶେ‌ଷ ପର୍ଯ୍ୟାୟ ଭୋଟ ‌ଆସନ୍ତା ସୋମବାର ହେବ ଯେଉଁଦିନ ମାତ୍ର ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ସେହି ଦୁଇଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରତିଦ୍ବନ୍ଦ୍ବିତା ହେବ।

ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ିଛି ୨୦ରୁ ଅଧିକ ଏମ୍‌ପିଙ୍କ ସମର୍ଥନ ଦୁଇଜଣଙ୍କ ପାଖରେ ଅଛି ଏବଂ ସେମାନେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ପେନ୍ନି ମୋର୍ଡଣ୍ଟ। ସୁନକଙ୍କ ପାଖରେ ପ୍ରାୟ ୪୦ ଜଣ ଏମ୍‌ପିଙ୍କ ସମର୍ଥନ ଅଛି। ଅଧିକ ସମର୍ଥନ ଯୋଗାଡ଼ ପାଇଁ ସେ ‘ରେଡି ଫର୍ ଋଷି’ ଅଭିଯାନ ଆରମ୍ଭ କରିସାରିଲେଣି। ତେବେ ଏକ ଦଳର ସଦସ୍ୟମାନଙ୍କ ଭିତରେ ଅନୁଷ୍ଠିତ ଏକ ସର୍ଭେ ଅନୁଯାୟୀ କନିଷ୍ଠ ବାଣିଜ୍ୟ ମନ୍ତ୍ରୀ ପେନ୍ନ ମୋର୍ଡଣ୍ଟଙ୍କ ପ୍ରତି ୧୯.୬ ପ୍ରତିଶତ ସମର୍ଥନ ରହିଛି। ତାଙ୍କ ପଛକୁ ଅଛନ୍ତି ପୂର୍ବତନ ସମାନତା ମନ୍ତ୍ରୀ କେମି ବାଡେନୋ‌ଚ (୧୮.୭ ପ୍ରତିଶତ)। ଋଷି ସୁନକଙ୍କ ସ୍ଥାନ ଅଛି ତୃତୀୟରେ (୧୨.୧ ପ୍ରତିଶତ)। ଆଟର୍ଣ୍ଣି ଜେନେରାଲ ସୁଏଲା ବ୍ରେଭରମ୍ୟାନ (ଅନ୍ୟତମ ଭାରତୀୟ ବଂଶୋଦ୍ଭବ) ଏବଂ ବିଦେଶ ମନ୍ତ୍ରୀ ଲିଜ ଟ୍ରସ୍ ମଧ୍ୟ ପ୍ରଥମ ୫ ଜଣଙ୍କ ମଧ୍ୟରେ ଅଛନ୍ତି। ଟୋରି ପାର୍ଟିର ପ୍ରାୟ ୨ ଲକ୍ଷ ସଦସ୍ୟଙ୍କ ହାତରେ ସେମାନଙ୍କ ଭାଗ୍ୟ ନିର୍ଭର କରୁଛି।

ସମ୍ବନ୍ଧିତ ଖବର