ନୂଆଦିଲ୍ଲୀ: କେନ୍ଦ୍ର ବଜେଟରେ ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ କେରଳ ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ସଡ଼କ ଭିତ୍ତିଭୂମି ପାଇଁ ୨.୨୭ ଲକ୍ଷ କୋଟି ଖର୍ଚ୍ଚ କରାଯିବାକୁ ଘୋଷଣା ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପଶ୍ଚିମବଙ୍ଗ ଅପେକ୍ଷା ତାମିଲନାଡୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପଶ୍ଚିମବଙ୍ଗରେ କୋଲକାତା–ସିଲିଗୁଡ଼ି ମଧ୍ୟରେ ଜାତୀୟ ରାଜପଥ ନିର୍ମାଣ ଲାଗି ବଜେଟରେ ବ୍ୟୟବରାଦ ରଖାଯାଇଛି।

Advertisment

ଆଜିର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ପଶ୍ଚିମବଙ୍ଗରେ ରାଜପଥ ନିର୍ମାଣ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରକାଶ କରିଛନ୍ତି । ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ତାମିଲନାଡୁରେ ୩୫ ଶହ କିଲୋମିଟର ହାଇୱେ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। କେରଳରେ ୧୧ ଶହ କିଲୋମିଟରର ହାଇୱେ ନିର୍ମାଣ ହେବ। ଏହି ପ୍ରକଳ୍ପକୁ ମୁମ୍ବାଇ-କନ୍ୟାକୁମାରୀ କରିଡରର ଅଂଶବିଶେଷ ଭାବେ ଉପସ୍ଥାପନ କରାଯାଇଛି । ଏଥିପାଇଁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ନିର୍ମାଣ କାମ ଆସନ୍ତା ବର୍ଷରୁ ଆରମ୍ଭ ହେବବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ ସମୟରେ କହିଛନ୍ତି।