ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍-କଂଗ୍ରେସ ମେଣ୍ଟ ଗୋଟିଏ ବି ଆସନ ହାସଲ କରିବାରେ ବିଫଳ ହେବା ବିଭିନ୍ନ ମହଲକୁ ବିସ୍ମିତ କରିଛି। ଆପ୍‌ ଓ କଂଗ୍ରେସର ମେଣ୍ଟ ସାଙ୍ଗକୁ ମୁସ୍‌ଲିମ ଭୋଟ୍‌ ଧ୍ରୁବୀକରଣ ମଧ୍ୟ ଇଣ୍ଡି ମେଣ୍ଟ ପାଇଁ କୌଣସି ସଫଳତା ନ ଆଣିବା ଇଣ୍ଡି ମେଣ୍ଟକୁ ପ୍ରଚଣ୍ଡ ଝଟ୍‌କା ଦେଇଛି। ଏହା ବିଜେପିର ଦୃଢ଼ ସାଂଗଠନିକ ଦକ୍ଷତାକୁ ପୁଣି ଥରେ ପ୍ରମାଣିତ କରିଛି। ଜାତୀୟ ରାଜଧାନୀର ଭୋଟରଙ୍କ ଉପରେ ମେଣ୍ଟର କୌଣସି ପ୍ରଭାବ ନ ରହିବା ପଛରେ ଉଭୟ ଦଳର ଇତିହାସ ଦାୟୀ ବୋଲି କୁହାଯାଉଛି। ମେଣ୍ଟ ଗଠନ ହେବା ପର୍ଯ୍ୟନ୍ତ ପରସ୍ପରର ଚରମ ଶତ୍ରୁ ଥିବା ଦୁଇ ଦଳ ଏକାଠି ହେବାକୁ ଲୋକେ ସହଜରେ ଗ୍ରହଣ କରିନଥିଲେ ଏବଂ ବିଶ୍ବାସର ସଙ୍କଟ ସୃଷ୍ଟି ହୋଇଥିଲା। ୨୦୧୧ ଜନଗଣନା ଅନୁସାରେ ଦିଲ୍ଲୀର ମୋଟ ଜନସଂଖ୍ୟାର ୧୨.୯% ମୁସଲମାନ। ଉତ୍ତର ପୂର୍ବ ଲୋକସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସର୍ବାଧିକ ୨୦.୭% ମୁସଲମାନ ଭୋଟର ଥିବା ବେଳେ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ, ଯଥ‌ା- ଚାନ୍ଦିନୀଚୌକ (୧୪%), ପୂର୍ବ ଦିଲ୍ଲୀ (୧୬.୮%), ନୂଆଦିଲ୍ଲୀ (୧୬.୮%), ଉତ୍ତରପଶ୍ଚିମ ଦିଲ୍ଲୀ (୧୦.୬%), ଦକ୍ଷିଣ ଦିଲ୍ଲୀ (୭%) ଓ ପଶ୍ଚିମ ଦିଲ୍ଲୀ (୬.୮%)ରେ ମଧ୍ୟ ମୁସଲମାନ ଜନସଂଖ୍ୟା ଉଲ୍ଲେଖନୀୟ।

Advertisment

ଉତ୍ତର-ପୂର୍ବ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୫୮.୩% ମତଦାନ ହୋଇଥିବା ବେଳେ ତିନିଟି ମୁସଲମାନ-ଅଧ୍ୟୁଷିତ ବିଧାନସଭା ନିର୍ବାଚନମଣ୍ଡଳୀ ସିଲମପୁର, ମୁସ୍ତାଫାବାଦ ଓ ବାବରପୁରରେ ୬୫%ରୁ ଅଧିକ ମତଦାନ ହୋଇଛି। ତେବେ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ଏହି ଆସନରୁ ୧.୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଜୋହରିପୁରର ମହମ୍ମଦ ମୁସ୍ତାକ କହିଛନ୍ତି ଯେ, ଜନସାଧାରଣଙ୍କ ପସନ୍ଦ ବିଜେପି ପ୍ରତି ଅଧିକ ରହିଛି। ନନ୍ଦ ନଗରୀର ଜଣେ ବ୍ୟବସାୟୀ ଅଦନାନ ଜୈନ କହିଛନ୍ତି, କହ୍ନେୟା କୁମାରଙ୍କ ସମସ୍ୟା ହେଉଛି, ସେ ଯେତିକି ଲୋକଙ୍କୁ ଭେଟିବା କଥା ସେତିକି ଭେଟି ନ ଥିଲେ। କେବଳ ଅନଲାଇନରେ ଉତ୍ସାହଜନକ ଭାଷଣ ଦେବା ଯଥେଷ୍ଟ ନୁହେଁ। ୨୦୧୯ ଓ ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଦିଲ୍ଲୀରେ କମ୍ ମତଦାନ ହାର ଯୋଗୁଁ ଫଳାଫଳ ଉପରେ ପ୍ରଭାବ ପଡ଼ିଥିବା ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟ କହିଛନ୍ତି। ଆପ୍‌ ଓ କଂଗ୍ରେସକୁ ନେଇ ଲୋକଙ୍କ ମଧ୍ୟରେ ଏକ ଅବିଶ୍ବାସର ବାତାବରଣ ଶେଷ ପର୍ଯ୍ୟନ୍ତ ଲାଗି ରହିଥିଲା ବୋଲି କେତେକ ସମୀକ୍ଷକ କହିଛନ୍ତି।