ଦୁଇ ପର୍ଯ୍ୟାୟରେ ନିର୍ବାଚନ ପ୍ରସ୍ତାବ

ଏକସଂଗରେ ଲୋକସଭା ଓ ବିଧାନସଭା ଭୋଟ୍‌ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶରେ ଏକସଂଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ସଂକ୍ରାନ୍ତରେ ଭାରତର ଆଇନ କମିସନ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଛନ୍ତି। ଏକସଂଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ନେଇ ରାଜନୈତିକ ଦଳଗୁଡ଼ିକର ଆଭିମୁଖ୍ୟ ସ୍ପଷ୍ଟ ହେବାପରେ ଏ ବାବଦରେ କମିସନ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। ଆଇନ କମିସନ ତାଙ୍କ ପ୍ରସ୍ତାବରେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନ ସହିତ ଦେଶର ଅଧା ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ବଳକା ରାଜ୍ୟଗୁଡ଼ିକରେ ୨୦୨୪ରେ ନିର୍ବାଚନ ହେବ। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଦୁଇଟି ପର୍ଯ୍ୟାୟରେ ସବୁ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସଂପୂର୍ଣ୍ଣ ହୋଇପାରିବ। ତେବେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେଲେ ରାଜ୍ୟ ପ୍ରସଙ୍ଗଗୁଡ଼ିକ ଗୁରୁତ୍ୱ ହରାଇବ ବୋଲି ଅନେକ ଆଶଙ୍କା କରୁଛନ୍ତି।। ଦେଶର ପରବର୍ତ୍ତୀ ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ବର୍ଷରୁ କମ୍‌୍‌ ସମୟ ରହିଯାଇଥିବା ବେଳେ ଏବେଠାରୁ ପ୍ରସ୍ତୁତି ଜରୁରୀ ଥିବାରୁ ଏ ଦିଗରେ ତତ୍ପରତା ପ୍ରକାଶ ପାଇଛି।

ଏ ବାବଦରେ ଆଲୋଚନା ପାଇଁ ଜୁଲାଇ ୭ ଏବଂ ୮ ତାରିଖ ଦିନ ରାଜନୈତିକ ଦଳଗୁଡ଼ିକର ବୈଠକ ଆଇନ କମିସନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ। ଜୁନ୍‌ ୩୦ ସୁଦ୍ଧା ଏକକାଳୀନ ନିର୍ବାଚନ ନେଇ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରସ୍ତାବ ଓ ପରାମର୍ଶ ଦେଇପାରିବେ। ତେବେ ଏ ବାବଦରେ ଉତ୍ତର ପ୍ରଦେଶ ଏବଂ ପୁଡ଼ୁଚେରିକୁ ବାଦ୍‌ଦେଲେ କୌଣସି ରାଜ୍ୟରୁ କମିସନଙ୍କୁ ମତାମତ ମିଳିନଥିବା ଜଣାପଡ଼ିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଇନ କମିସନଙ୍କ ପ୍ରସ୍ତାବକୁ ସ୍ୱାଗତ କରି ଏହା ଦେଶପାଇଁ ଅତନ୍ତ୍ୟ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଂଗରେ କରାଇବାକୁ ଗୁରୁତ୍ୱାରୋପ କରୁଥିବା ବେଳେ ଏ ଦିଗରେ ଗଠନମୂଳକ ଆଲୋଚନା ପାଇଁ ଆହ୍ଵାନ ଦେଇଛନ୍ତି। ଦେଶରେ ପ୍ରତିବର୍ଷ ନିର୍ବାଚନ ଯୋଗୁଁ ହେଉଥିବା ସମସ୍ୟା ଉତ୍‌୍‌ଥାପନ କରି ଏ ଦିଗରେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆଇନ କମିସନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର