ନିର୍ବାଚନରେ ହାରିବା ପରେ ଜେସିବି ଲଗାଇ ଖୋଳିଦେଲେ ଗାଁ ରାସ୍ତା

ଲଖନଉ: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ୨୦୨୧ ର ଫଳାଫଳ ଘୋଷିତ ହୋଇଥିବାବେଳେ ଅନେକ ସ୍ଥାନରୁ ହିଂସା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ନିର୍ବାଚନରେ ​​ହାରିବା ପରେ ପ୍ରାର୍ଥୀମାନେ ଜନସାଧାରଣଙ୍କ ଉପରେ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି | ଯେଉଁଠାରେ ଜଣେ ସରପଞ୍ଚ ପ୍ରାର୍ଥୀ ନିର୍ବାଚନରେ ହାରିବା ପରେ ଗାଁ ଲୋକଙ୍କ ଉପରେ ରାଗ ସୁଝାଇଦେଇଛନ୍ତି | ସରପଞ୍ଚ ପ୍ରାର୍ଥୀ ଜଣକ ନିର୍ବାଚନ ହାରିବା ପରେ ଗାଁ ରାସ୍ତାକୁ ଖୋଳି ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ତାଙ୍କ କାର୍ଯ୍ୟକାଳରେ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ନିର୍ମାଣ କରାଯାଇଥିଲା, କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ସେ ପରାଜୟ ସହ୍ୟ କରିପାରିନଥିଲେ ଏବଂ ସମର୍ଥକଙ୍କ ସହ ମିଶି ଜେସିବି ଲଗାଇ ରାସ୍ତା ଖୋଳି ଦେଇଛନ୍ତି | ଦୀପକ କୁମାର ତିୱାରୀ ବାରବାଙ୍କି ଜିଲ୍ଲାର ଅହିରାନ ସରିୟାନ ଗାଁର ସରପଞ୍ଚ ଥିଲେ |

ଆଉ ଚଳିତ ପଂଚାୟତ ନିର୍ବାଚନରେ ଦୀପକ କୁମାର ମଧ୍ୟ ସରପଞ୍ଚ ପାଇଁ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ନିର୍ବାଚନର ଫଳାଫଳ ତାଙ୍କ ସପକ୍ଷରେ ଆସିନଥିଲା । ନିକଟତମ ପ୍ରତିଦ୍ଵନ୍ଦୀଙ୍କଠାରୁ ସେ ହାରିଯାଇଥିଲେ | ଆଉ ଏଥିରେ ରାଗି ଯାଇ ଗାଁ ଲୋକ ଭୋଟ ନ ଦେଇଥିବାର ଅନୁମାନ କରି ତାଙ୍କ ସମର୍ଥକଙ୍କ ସହ ମିଶି ଗାଁ ରାସ୍ତାକୁ ଜେସିବି ଲଗାଇ ଖୋଳି ଦେଇଛନ୍ତି | ପୂର୍ବତନ ସରପଞ୍ଚ ଜଣକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ମିତ ପ୍ରାୟ ୨୦୦ ମିଟର ରାସ୍ତା କୁ ଖୋଳି ଦେଇଛନ୍ତି | ଆଉ ଏହି ଘଟଣାକୁ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର