ରାୟପୁର/ଭୁବନେଶ୍ବର: ନିର୍ବାଚନରେ ବିଜୟ ଓ ପରାଜୟ ନୂଆକଥା ନୁହେଁ। କିନ୍ତୁ ମାତ୍ର ୧୬ ଖଣ୍ଡ ଭୋଟ୍‌ରେ ପରାଜିତ ହେବା ଯେକୌଣସି ନେତାଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ କୁହାଯାଇପାରେ। ଛତିଶଗଡ଼ ବିଧାନସଭା ନିର୍ବାଚନରେ ଜଣେ କଂଗ୍ରେସ ନେତାଙ୍କ ପାଇଁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ବସ୍ତର ଅଞ୍ଚଳର କାଙ୍କେର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀ ଶଙ୍କର ଧ୍ରୁୱାଙ୍କୁ ୬୭,୯୬୪ ଖଣ୍ଡ ଭୋଟ୍‌ ମିଳିଛି। ବିଜେପିର ପ୍ରାର୍ଥୀ ଆଶାରାମ ନେତାମଙ୍କ ଠାରୁ ଶଙ୍କର ୧୬ ଖଣ୍ଡ ଭୋଟ୍‌ରେ ପରାଜିତ ହୋଇଛନ୍ତି। ଆଶାରାମଙ୍କୁ ୬୭,୯୮୦ ଖଣ୍ଡ ଭୋଟ୍‌ ମିଳିଛି।

Advertisment

କାଙ୍କେର ନିର୍ବାଚନ ମଣ୍ଡଳୀରେ ଏଥର ୯ ଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ। ଗଣ୍ଡୱାନା ଗଣତନ୍ତ୍ର ପାର୍ଟିର ହେମ୍‌ଲାଲ ମାର୍କମଙ୍କୁ ୪୨୩୬, ରାଷ୍ଟ୍ରୀୟ ଜନସଭା ପାର୍ଟିର ଡାଇମଣ୍ଡ ନେତାମଙ୍କୁ ୧୦୮୪, ଭାରତୀୟ ଶକ୍ତି ଚେତନା ପାର୍ଟିର ନମିତା ନେତାମଙ୍କୁ ୯୨୦ ଓ ଆଜାଦ୍‌ ଜନତା ପାର୍ଟିର ପ୍ରୱତି ଟେଟାଙ୍କୁ ୪୦୪ ଖଣ୍ଡ ଭୋଟ ମିଳିଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ଗୋବିନ୍ଦ କୁମାର ଦାରୋଙ୍କୁ ୯୭୪, ଅର୍ଜୁନ ସିଂହ ଆଚଲାଙ୍କୁ ୧୫୦୬ ଓ ଜୟପ୍ରକାଶ ସାଲମଙ୍କୁ ୧୩୯୩ ଖଣ୍ଡ ଭୋଟ ମିଳିଛି। ୨୭୨୯ ମତଦାତା ଉପରୋକ୍ତ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ନାହାନ୍ତି। ସେମାନେ‌ ନୋଟାରେ ଭୋଟ ଦେଇଛନ୍ତି।