ଦେଶର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗୀଙ୍କୁ ସ୍ୱାଗତ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

କିନ୍ନାଉର: ଦେଶ ସ୍ୱାଧୀନତା ଲାଭ କରିବା ପରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା , ସେତେବେଳେ ହିମାଚଳ ପ୍ରଦେଶର ଯୁବକ ଶ୍ୟାମ ଶରଣ ନେଗୀ ଦେଶର ପ୍ରଥମ ଭୋଟର ଭାବେ ଭୋଟ୍‌ ଦେଇ ଇତିହାସ ସୃଷ୍ଟି କରିଥିଲେ। ଆଜି ଏହି ଅବସରପ୍ରାପ୍ତ ଶିକ୍ଷକ ନେଗୀଙ୍କୁ ୧୦୦ ବର୍ଷ। ମାତ୍ର ଆଜି ବି ଭୋଟ୍‌ ଦେବା ପାଇଁ ନେଗୀଙ୍କ ମନରେ ସେ ଦିନର ସେହି ଉତ୍ସାହ, ସେହି ଉଦ୍ଦିପନା ରହିଛି। ଏପର୍ଯ୍ୟନ୍ତ ଜୀବନରେ କୌଣସି ନିର୍ବାଚନରେ ଭୋଟ ଦେବାରୁ ନିଜକୁ ବିରତ ରଖି ନ ଥିବା ଶ୍ରୀ ନେଗୀ ଆସନ୍ତା ୯ ତାରିଖ ଦିନ ହିମାଚଳ ପ୍ରଦେଶ ପାଇଁ ହେବା ଥିବା ବିଧାନସଭା ନିର୍ବାଚନରେ ଭୋଟ୍‌ ଦେବେ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ହିମାଚଳ ପ୍ରଦେଶ ପ୍ରଶାସନ। ଶ୍ରୀ ନେଗୀଙ୍କୁ ରେଡ୍‌ କାର୍ପେଟ୍‌ ସ୍ୱାଗତ କରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ନେଗୀ କଲପା୍‌ର ଯେଉଁ ବୁଥରେ ଭୋଟ୍‌ ଦେବେ ସେଠାରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ଗେଟ୍‌ ନିର୍ମାଣ କରାଯାଇଛି ଓ ତାଙ୍କୁ ସେଠାରେ ହିମାଚଳ ପ୍ରଦେଶର ଟୋପି, ସାଲ ଦେଇ ସମ୍ବର୍ଦ୍ଧନା ମଧ୍ୟ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି।
ଶ୍ୟାମ ଶରଣ ନେଗୀ। ବୟସ ଏବେ ୧୦୦ ବର୍ଷ। ଶହେ ବସନ୍ତର ଅନୁଭବ ନେଇଥିବା ଏହି ଅବସରପ୍ରାପ୍ତ ଶିକ୍ଷକଙ୍କ ଚମ ଲୋଚାକୋଚା ହୋଇଗଲାଣି। ଚାଲିବା ପାଇଁ ଶରୀରରେ ବିଶେଷ ଶକ୍ତି ନାହିଁ। କିନ୍ତୁ ଭୋଟ୍‌ ଆସିଲେ ସେ ହୋଇ ଉଠନ୍ତି ଚଳଚଞ୍ଚଳ। କେବଳ ନିଜ ମତଦାନ ସାବ୍ୟସ୍ତ କରିବା ପାଇଁ ନେଗୀ ନିଜକୁ ପ୍ରସ୍ତୁତ କରି ନିଅନ୍ତି ବୋଲି ଶ୍ରୀ ନେଗୀଙ୍କ ସାନପୁଅ ଚନ୍ଦର ପ୍ରକାଶ କହନ୍ତି । ଶ୍ରୀ ପ୍ରକାଶ କହିଛନ୍ତି ଏବେ ବି ଶ୍ରୀ ନେଗୀ ତାଙ୍କ ପିଲାମାନଙ୍କୁ ପ୍ରଥମ ସେ ଯେତେବେଳେ ଭୋଟ୍‌ ଦେଇଥିଲେ,ସେ କଥା କୁହନ୍ତି ଓ ସେହି ଉଦ୍ଦୀପନାରେ ଭୋଟ୍‌ ଦେବାକୁ ପ୍ରସ୍ତୁତ ହୁଅନ୍ତି।
ବର୍ତ୍ତମାନ ହିମାଚଳପ୍ରଦେଶର ଶ୍ରୀ ନେଗୀ ହେଉଛନ୍ତି ଜଣେ ଭିିଭିଆଇପି ଭୋଟର। ତେଣୁ ତାଙ୍କୁ ଏଥର ରେଡ୍‌ କାର୍ପେଟ୍‌ ସ୍ୱାଗତ କରାଯିବ ବୋଲି କୁନ୍ନାଉର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା କିନ୍ନାଉର ଡେପୁଟି କମିସନର ଡ. ନରେଶ କୁମାର ଲାଠ୍‌ କହିଛନ୍ତି।
ସେହିପରି କଲ୍‌ପାର ଏସଡିଏମ ଡ. ଅରବିନ୍ଦ କୁମାର କହିଛନ୍ତି ଯେ ଶ୍ରୀ ନେଗୀ ଯେପରି ବିନି କୌଣସି ଅସୁବିଧାରେ ଭୋଟ୍‌ ଦେଇ ପାରିବେ ସେଥିପାଇଁ ଆମେ ସମସ୍ତ ବନ୍ଦୋବସ୍ତ କରିଛୁ। ସେ ଯେପରି କଲ୍‌ପା-୨ ପୁଲିଂ ବୁଥ୍‌ରେ ପହଞ୍ଚିବେ ଓ ଭୋଟ୍‌ ଦେଇସାରି ସୁରୁଖୁରୁରେ ଘରକୁ ଫେରିବେ ସେ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି।

ସୂଚନାଯୋଗ୍ୟ ଯେ ୧୯୫୨ ସାଧାରଣ ନିର୍ବାଚନର ୫ ମାସ ପୂର୍ବରୁ ୧୯୫୧ ମସିହାରେ ହିମାଚଳ ପ୍ରଦେଶର ତଥକାଳୀନ ଚିନୀ (ବର୍ତ୍ତମାନ କଲ୍‌ପା)ରେ ପ୍ରବଳ ବରଫପାତ ଆଶଙ୍କା କରି ଆଗୁଆ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ସେଥିରେ ପ୍ରଥମ ଭୋଟ୍‌ର ଭାବେ ଶ୍ରୀ ନେଗୀ ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର