ନିର୍ବାଚନ ପ୍ରସ୍ତୁତି: ଇଣ୍ଡିଆ ମେଣ୍ଟରେ ଫାଟ!
ବିଜେପି ଓ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ, ଦିଲ୍ଲୀର ସମସ୍ତ ଲୋକସଭା ଆସନରେ କଂଗ୍ରେସ ଲଢ଼ିପାରେ
ନୂଆଦିଲ୍ଲୀ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ କଂଗ୍ରେସ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କଂଗ୍ରେସ ଦିଲ୍ଲୀରୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି ଏବଂ ଆପ୍ ସହିତ କୌଣସି ମେଣ୍ଟ କରାଯିବ ନାହିଁ ବୋଲି ସଙ୍କେତ ଦେଇଛି। ଏହାକୁ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀରେ ସମସ୍ତ ୭ ଲୋକସଭା ଆସନରେ ଜୋରଦାର ପ୍ରସ୍ତୁତି ପାଇଁ ଆଜି ବୈଠକରେ ଗୁରୁତ୍ବାରୋପ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି, ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆମକୁ କୁହାଯାଇଛି। ସମସ୍ତ ୭ ଆସନରେ ପ୍ରସ୍ତୁତି ଆରମ୍ଭ କରିବାପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଦଳ କେତେ ଆସନରେ ଲଢ଼ିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ବୈଠକ ୪ ଘଣ୍ଟା ଧରି ଚାଲିଥିଲା ଏବଂ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ୪୦ ନେତା ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, ଦିଲ୍ଲୀରେ ଯଦି ମେଣ୍ଟ ହେବନାହିଁ ବୋଲି କଂଗ୍ରେସ ନିଷ୍ପତ୍ତି ନେଇସାରିଛି ତେବେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ଆପ୍ ଯୋଗଦେବାର କୌଣସି କାରଣ ନାହିଁ।
ଅନ୍ୟପକ୍ଷରେ ବିଜେପି ଆଜି ଦଳର ମୁଖ୍ୟାଳୟରେ ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ସମସ୍ତ ୧୫ ସିଇସି ସଦସ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ଆଗକୁ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ବିଜେପି ବ୍ୟାପକ ଯୋଜନା କରିଛି।। ଦୁର୍ବଳ ଆସନଗୁଡ଼ିକରେ ଦଳର ଶକ୍ତି ବୃଦ୍ଧି କରିବା ପାଇଁ ନୂଆ ରଣନୀତିରେ କାମ କରିବାକୁ କୁହାଯାଇଛି।