ନୂଆଦିଲ୍ଲୀ: ରବିବାର ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ  କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି। ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

Advertisment

ଦେଖିବାକୁ ଗଲେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ   ସେମାନେ ନିଜର ଆସନ ହରାଇ ଦେଇଛନ୍ତି।

ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ହେଉଛି ଈଶ୍ବର ସାହୁ। ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳଫଳ ଘୋଷଣା ପରେ ସବୁ ଓଲଟାପାଲଟା ହୋଇଯାଇଛି। ବେମେତରା ଜିଲ୍ଲାରେ ସାଜା ଆସନରୁ କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ ବିଜେପିର ପ୍ରାର୍ଥୀ ଇଶ୍ବର ସାହୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଛଅଥର ବିଧାୟକ ରହିଥିବା ରବୀନ୍ଦ୍ରଙ୍କୁ ଇଶ୍ବର ୫,୧୯୬ଟି ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି।

ଇଶ୍ବର ସାହୁ ନିଜର ଶପଥ ପତ୍ରରେ କହିଥିଲେ କି, ‘ମୁଁ ୫ମ ଶ୍ରେଣୀ ଯାଏଁ ପାଠପଢ଼ିଛି। ମୁଁ ଶ୍ରମିକ ଭାବେ କାମ କରୁଥିବା ବେଳେ ମୋର ସ୍ତ୍ରୀ ଜଣେ ଗୃହିଣୀ। ମୋର ପୁଅ ଭୁବନେଶ୍ବର ସାହୁ ବିରନପୁର ଗ୍ରାମରେ ସାମ୍ପ୍ରଦାୟିକ ହିଂସାରେ ପ୍ରାଣ ହରାଇଛି।’

ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇଶ୍ବର ସାହୁଙ୍କୁ ଟିକେଟ ଦିଆଯାଇ ମଇଦାନକୁ ଓହ୍ଲା ଯାଇଥିଲା। ଏହାପରେ ଈଶ୍ବର ସାହୁ ଲୋକଙ୍କୁ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଭୋଟ ବଦଳରେ  ପୁଅ ମୃତ୍ୟୁର ନ୍ୟାୟ ଦିଅନ୍ତୁ । ଏହି ପ୍ରଚାର ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଶେଷରେ ଗତକାଲି ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଈଶ୍ବର ସାହୁଙ୍କ ସଫଳତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।