ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି କଂଗ୍ରେସ ସାଂସଦ ସୁସ୍ମିତା ଦେବ ସୁପ୍ରିମ୍ କୋର୍ଟରେ ଦାଏର କରିଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଶାହଙ୍କ ମାମଲାରେ ନିର୍ବାଚନ କମିସନ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ସୁପ୍ରିମ୍ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ୧୨ଟି ଆଚରଣ ବିଧି ଉଲ୍ଲଂଘନ ମାମଲା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରିଛି, ସେଥିରେ ଆଦୌ ଦମ୍ ନାହିଁ ବୋଲି ନିର୍ବାଚନ କମିସନ କହିବା ସହ ତାଙ୍କୁ କ୍ଲିନ୍ଚିଟ୍ ଦେଇଛନ୍ତି। ନିର୍ବାଚନ କମିସନ ତାଙ୍କର ତଦନ୍ତ ଏବଂ ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନେଇଥିବାରୁ ଏଥିରେ ଅଦାଲତ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦୁର୍ନୀତିଗ୍ରସ୍ତ ନଂ-୧ ବୋଲି କହିଥିବାରୁ ଏ ବାବଦରେ ମଧ୍ୟ କଂଗ୍ରେସ ନିର୍ବାଚନ କମିସନଙ୍କଠାରେ ଅଭିଯୋଗ କରିବା ସହ ସୁପ୍ରିମ୍ କୋର୍ଟରେ ନୂଆ ସତ୍ୟପାଠ ଦାଖଲ କରିଥିଲା। ତେବେ ଏହି ମାମଲାରେ ଶୁଣାଣି ଚାଲିବ ନାହିଁ ବୋଲି ଖଣ୍ଡପୀଠ ଶୁଣାଇ ଦେବାପରେ ଏହା କଂଗ୍ରେସ ପାଇଁ ଝଟ୍କା ହୋଇଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ଯେ କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ କେବଳ ହତାଶାରେ କଂଗ୍ରେସ ନିର୍ବାଚନ କମିସନଙ୍କଠାରେ ମିଥ୍ୟା ଅଭିଯୋଗ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଦୌ ଆଚରଣ ବିଧି ଉଲ୍ଲଂଘନ କରିନଥିଲେ ମଧ୍ୟ କଂଗ୍ରେସ ନେତାମାନେ ଏହାକୁ ପ୍ରସଙ୍ଗ କରି ବିଭ୍ରାନ୍ତି କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କହିଛନ୍ତି।
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା:ମୋଦୀ-ଶାହଙ୍କ ବିରୋଧରେ ଶୁଣାଣି ବନ୍ଦ କଲେ ସୁପ୍ରିମ୍ କୋର୍ଟ
ନିର୍ବାଚନ କମିସନଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବେ ନାହିଁ
/sambad/media/post_attachments/wp-content/uploads/2019/05/supremeC-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)